କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ନୂଆଗାଁ ଓ ଗଡକୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ.ଏସ.ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପ ହେବା ଏକ ପ୍ରକାର ସ୍ପଷ୍ଟ ହେବାକୁ ଲାଗିଲାଣି । ଗତ ଡିସେମ୍ବର ୨୨ ତାରିଖରୁ ପ୍ରସ୍ତାବିତ ଅଞ୍ଚଳରେ ପାନବରଜ ମାପଚୁପ ଓ ଭଙ୍ଗା କାମ ଚାଲିଛି । ସେପଟେ ପାଟଣା ଓ ଗୋବିନ୍ଦପୁର ଗାଁରେ ଗଛ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେହି ଅଞ୍ଚଳର ମାହାଳ ଶେଷ ସୀମା ସମୁଦ୍ର ପଟରୁ ପ୍ରାଚୀର କାମ ଆରମ୍ଭ କରିଛି ଇଡକୋ ।

Advertisment

ଧିରେ ଧିରେ ସ୍ପଷ୍ଟ ହେଉଛି ଢିଙ୍କିଆ ଜେ.ଏସ.ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପର ଭାଗ୍ୟ । ବାଦ ବିବାଦ ଭିତରେ ଆଗଉଛି କାମ । ଇଡକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇ ଆରମ୍ଭ ହୋଇଛି ପାଚେରୀ ନିର୍ମାଣ କାମ । ଟ୍ରାକ୍ଟର, ଜେସିବି ଓ ସ୍ଥାନୀୟ ଶ୍ରମିକଙ୍କୁ ନେଇ ପାଚେରୀ ନିର୍ମାଣ କାମ ଜାରି ରଖିଛି ଠିକା ସଂସ୍ଥା । ଢିଙ୍କିଆ ମାହାଳ ସୀମା ସମୁଦ୍ର ପଟୁ ନୋଳିଆ ସାହି ପର୍ଯ୍ୟନ୍ତ ପାଚେରୀ ତିଆରି କାମ ଜାରି ରହିଛି ।
ପ୍ରଥମେ ୧୦ କିଲୋମିଟର ପର୍ଯ୍ୟନ୍ତ ପ୍ରି-କାଷ୍ଟ ପ୍ରାଚୀର ନିର୍ମାଣ ଓ ଅସ୍ଥାୟୀ ରାସ୍ତା କରାଯିବ । ଏଥିପାଇଁ ୭ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଇଡକୋ ପକ୍ଷରୁ ପାଚେରୀ ନିର୍ମାଣ ସରିବା ପରେ ଜେ.ଏସ.ଡବ୍ଲୁ ପ୍ରକଳ୍ପ ପାଇଁ ହସ୍ତାନ୍ତର କରାଯିବ ।

ପାଚେରୀ ନିର୍ମାଣ ସହ ପାନବରଜ ମାପଚୁପ ଓ ଭଙ୍ଗା କାମ ବି ଚାଲିଛି । ଏରସମା ତହସିଲଦାରଙ୍କ ନେତୃତ୍ୱରେ ୫ଟି ଟିମ୍, ଢିଙ୍କିଆ ପଞ୍ଚାୟତର ପାଟଣା, ମାହାଳ, ଗୋବିନ୍ଦପୁର ଓ ଢିଙ୍କିଆରେ ପାନବରଜ ମାପଚୁପ ଓ ଭାଙ୍ଗୁଛନ୍ତି । ଜାନୁଆରୀ ୧୧ ତାରିଖ ସୁଦ୍ଧା ୪ଟି ଗାଁରେ ୩୦୨ଟି ବରଜ ମାପଚୁପ କରାଯାଇଛି, ୨୪୮ଟି ଭଙ୍ଗା ଯାଇଛି । ୧୮୦ ଜଣଙ୍କୁ ୪ କୋଟି ୩୪ ଲକ୍ଷ ୧୮ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି । ଗୋଟିଏ ପଟେ ପାନବରଜ ମାପଚୁପ ଓ ଭଙ୍ଗା ଏବଂ ଅନ୍ୟପଟେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ ଆରମ୍ଭ, ଜେ.ଏସ.ଡବ୍ଲୁ ପ୍ରକଳ୍ପ ହେବା ସ୍ପଷ୍ଟ ବୋଲି ଅନୁମାନ କରାଯାଉଛି ।