ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଦୃଷ୍ଟିହୀନଙ୍କ ପାଇଁ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ସ୍ଥାପନ ।

45

କନକ ବ୍ୟୁରୋ : ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନଙ୍କୁ ଉନ୍ନତ କରିବା ନିମନ୍ତେ ସହାୟତା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ ଅନୁଷ୍ଠାନ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଏକ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ‘ଜିନ୍ଦଲ ଜ୍ଞାନ’ ସ୍ଥାପନ କରାଯାଇଛି । ଗତକାଲି (ଏପ୍ରିଲ ୧୧) ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏହି ଲାଇବ୍ରେରୀକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସଆର୍ ମୁଖ୍ୟ ପ୍ରଶାନ୍ତ ହୋତା, ଏସଭିନିରତାରର ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗ ମୁଖ୍ୟ ପ୍ରଫେସର ଶ୍ରୀକାନ୍ତ ମହାରଣା, ଓଡ଼ିଶା ଆସୋସିଏସନ୍ ଅଫ୍ ଦି ବ୍ଲାଇଣ୍ଡର ସଭାପତି ସନ୍ୟାସୀ ବେହେରା ଏବଂ ୱିଫରୟୁର ସମ୍ପଦକ ଅଭୟ ମହାନ୍ତ ଉପସ୍ଥିତ ଥିଲେ ।

ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ଅତ୍ୟାଧୁନିକ ସହାୟକ ଉପକରଣ ଉପଲବ୍ଧ କରାଇ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା ଏହି ଲାଇବ୍ରେରୀ ଭୁବନେଶ୍ୱରର ଖଣ୍ଡଗିରିବାଡ଼ିଠାରେ ଅବସ୍ଥିତ । ସାମାଜିକ ଅନୁଷ୍ଠାନ ୱିଫରୟୁ ଚାରିଟେବଲ୍ ଟ୍ରଷ୍ଟ ଦ୍ବାରା ଏହାର ପରିଚାଳନା କରାଯିବ ।

ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଜେଏସପି ଫାଉଣ୍ଡେସନ୍ ଓ ୱିଫରୟୁର ଅଭିନବ ପ୍ରୟାସକୁ ବିଷ୍ଣୁପଦ ସେଠୀ ପ୍ରଶଂସା କରିଥିଲେ। ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ସହାୟତା କରିବା ସହିତ ସେମାନଙ୍କ ଜୀବନରେ ବହୁତ ଉନ୍ନତି ଆଣିବାରେ ଏହି ଲାଇବ୍ରେରୀ ସାହାଯ୍ୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ଏହି ଅବସରରେ ପ୍ରଶାନ୍ତ ହୋତା କହିଥିଲେ, “ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଦର୍ଶନ ଦ୍ବାରା ଅନୁପ୍ରାଣିତ ହୋଇ ଆମେ ସର୍ବଦା ଏକ ଅନ୍ତର୍ଭୁକ୍ତ ଭାରତ ଗଠନ ନିମନ୍ତେ ପ୍ରୟାସରତ । ଏହି ଲାଇବ୍ରେରୀ ଏ ଦିଗରେ ଆମର ଅନ୍ୟତମ ପ୍ରୟାସ । ଏହି ପାଠାଗାର ଭୁବନେଶ୍ବରର ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ” ।

ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଦୃଷ୍ଟିହୀନମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ଏହି ଲାଇବ୍ରେରୀରେ ୧୦୦ରୁ ଅଧିକ ଅତ୍ୟାଧୁନିକ ସହାୟକ ଉପକରଣ ରହିଛି । ସ୍ପିଚ୍ ରେକଗ୍ନିସନ୍ ଡିଭାଇସ୍, ମୋବିଲିଟି ଏଡସ ଏବଂ ଯୋଗାଯୋଗ ଉପକରଣ ବିଭିନ୍ନ ଅତ୍ୟାଧୁନିକ ଉପକରଣଗୁଡିକୁ ଭାରତ ଏବଂ ବିଦେଶର ବିଭିନ୍ନ ଅଞ୍ଚଳରୁ ଅଣାଯାଇଛି । ଦୃଷ୍ଟିହୀନ ବ୍ୟକ୍ତିମାନେ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦୈନନ୍ଦିନ ଆବଶ୍ୟକତା କ୍ଷେତରେ ସହାୟତା ପାଇଁ ଏହି ଅତ୍ୟାଧୁନିକ ଉପକରଣ ଗୁଡିକୁ ବ୍ୟବହାର କରିପାରିବେ । ଉପକରଣଗୁଡିକର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ସହାୟକ ଜ୍ଞାନକୌଶଳର ଗବେଷଣା ଏବଂ ବିକାଶ କ୍ଷେତରେ ମଧ୍ୟ ଏହି ଲାଇବ୍ରେରୀ କାର୍ୟ୍ୟ କରିବ । ୱିଫରୟୁର ଦ୍ୱାରା ବିକଶିତ ବିଭିନ୍ନ ବିଷୟଉପରେ ଅଡିଓ ପୁସ୍ତକ ଗୁଡିକ ମଧ୍ୟ ଏହି ଲାଇବ୍ରେରୀରେ ଉପଲବ୍ଧ ହେବ ।