କନକ ବ୍ୟୁରୋ: ସଫଳତା ପରେ ତପସ୍ୟା । ଏପରି ନିଷ୍ପତ୍ତି ନେଇଛନ୍ତି ସିନେ ଜଗତରେ ହଇଚଇ ସୃଷ୍ଟି କରିଥିବା ସୁପର ଷ୍ଟାର ଜୁନିଅର୍ ଏନଟିଆର । ଏସଏସ୍ ରାଜାମୌଲିଙ୍କ ବ୍ଲକବଷ୍ଟର ମୁଭି ଆରଆରଆରର ଐତିହାସିକ ସଫଳତା ପରେ ଏକ ନିଆରା ପଦକ୍ଷେପ ନେଇଛନ୍ତି ଜୁନିଅର୍ ଏନଟିଆର । ଗ୍ରହଣ କରିଛନ୍ତି ମହାବୀର ବଜରଙ୍ଗବାଲୀଙ୍କ ଦୀକ୍ଷା । । ତାଙ୍କୁ ଏକ ହନୁମାନୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଗୈରୀକ ବସ୍ତ୍ର ସହ ଗଳାରେ ମାଳା ଓ ମଥାରେ ଟିକା ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
ହନୁମାନଜୀଙ୍କ ଦୀକ୍ଷା ଗ୍ରହଣ କରି କଠୋର ତପସ୍ୟା କରିବେ ଜୁନିଅର ଏନଟିଆର । ଏଥିପାଇଁ ତାଙ୍କୁ ୨୧ ଦିନ ଯାଏଁ ଜଣେ ତପସ୍ୱୀର ଜୀବନ ବଞ୍ଚିବାକୁ ପଡିବ । ୨୧ ଦିନ ଯାଏଁ ଖାଲି ପାଦରେ ରହିବେ । ଏହାସହ ସାତ୍ତ୍ୱିକ ଭୋଜନ କରିବେ । ଏବଂ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଜୁନିଅର ଏନଟିଆର । ତାଙ୍କର ଏପରି ନଷ୍ପତ୍ତିରେ ତାଙ୍କର ଅଗଣିତ ପ୍ରସକଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତାଙ୍କର ଫଟୋକୁ ଏଡିଟ୍ କରି ସେୟାର କରିବାରେ ଲାଗିଛନ୍ତି ୟୁଜର୍ସ । ଖାଲି ଏତିକି ନୁହେଁ ତାଙ୍କୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ଏତେ ସଫଳତା ପରେ ବି ଭାରତୀୟ ପରମ୍ପରାକୁ ବଞ୍ଚାଇ ରଖିବାକୁ ତାଙ୍କର ଦୁର୍ବାର ଇଚ୍ଛାକୁ ଭୁରୀ ପ୍ରଶଂସା କରାଯାଉଛି ।
ଏହାପୂର୍ବରୁ ଆରଆରଆର ମୁଭିରେ ଜୁନିଆର ଏନଟିଆରଙ୍କ ସହ ଲିଡ ରୋଲରେ ଥିବା ରାମଚରଣଙ୍କୁ ମଧ୍ୟ ଏପରି ସନ୍ନ୍ୟାସୀ ବେଶରେ ଦେଖିବାକୁ ମିଳିଥିଲା । ରାମଚରଣ ଆୟପ୍ପା ସ୍ୱାମୀଙ୍କ ପାଖରେ ୪୫ ଦିନର କଠୋର ବ୍ରତ ପାଳନ କରିଥିଲେ । ତାଙ୍କୁ ବିଭିନ୍ନ ସ୍ଥାନରେ କଳା ପୋଷାକରେ ଦେଖିବାକୁ ମିଳିଥିଲା । ୪୫ ଦିନ ଯାଏଁ ଖାଲି ପାଦରେ ରହିବା ସହ ରାମଚରଣ ମଧ୍ୟ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିଥିଲେ ।
ଫିଲ୍ମ ଆରଆରଆର ବକ୍ସ ଅଫିସରେ ଧମାଲ କରିଥିଲା । କରୋନା ମହାମାରୀ ପରେ ଏହା ଥିଲା ରିଲିଜ ହୋଇଥିବା ପ୍ରଥମ ଦମଦାର ମୁଭି । ‘ଦ କାଶ୍ମୀର ଫାଇଲ୍ସ’ ବେଶ୍ ଲୋକପ୍ରିୟ ହୋଇଥିଲେ ବି ଏହାକୁ ପଛରେ ପକାଇ ଭଲ ବ୍ୟବସାୟ କରିଥିଲା ଆରଆରଆର । ବିଶେଷ କରି ଏଥିରେ ରାମଚରଣ ଓ ଜୁନିଅର ଏନଟିଆରଙ୍କ ଡାନ୍ସ ସଙ୍ଗ ଅଡିଏନ୍ସଙ୍କ ମନକୁ ଛୁଇଁଥିଲା । ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଏହି ଷ୍ଟେପରେ ଦେଖିବାକୁ ମିଳୁଛି । ଦେଶ ଭିତରେ ମାତ୍ର ୨୪ ଦିନରେଏହି ଫିଲ୍ମ ପାଖାପାଖି ୮୦୦ କୋଟି ବ୍ୟବସାୟ କରିଥିବାବେଳେ ବିଶ୍ୱ ସ୍ତରରେ ୧୧୦୦ କୋଟି ଟଙ୍କା ବ୍ୟବସାୟ କରିପାରିଛି ।
ବିଶ୍ୱ ସ୍ତରରେ ସପଳତା ପାଇବା ପରେ ବି ନିଜ ସଂସ୍କୃତି ଓ ଐତିହ୍ୟକୁ ଛାଡିନାହାଁନ୍ତି ଏହି ଦୁଇ ସୁପରଷ୍ଟାର । ଆରଆରଆରର ସଫଳତା ପରେ ଜୁନିଅର ଏନଟିଆର କଠୋର ଦୀକ୍ଷା ଗ୍ରହଣ କରିଥିବାବେଳେ ରାମଚରଣ ପ୍ରତିବର୍ଷ ଏପରି କଠୋର ବ୍ରତ ପାଳନ କରନ୍ତି ବୋଲି ଜାଣିବାକୁ ମିଳିଛି ।