ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ବଢ଼ିପାରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ଧର୍ମେନ୍ଦ୍ରଙ୍କୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ

160

କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି । ଆଗକୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ବୈଠକରେ ଅନେକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇପାରେ । ସେପଟେ ଜାନୁଆରୀ ୨୦ରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଆଗାମୀ ନିର୍ବାଚନ ପାଇଁ ବଢ଼ାଯାଇପାରେ ବୋଲି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇପାରେ ।

ସେହିପରି ବରିଷ୍ଠ ନେତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯାଇପାରେ । କାର୍ଯ୍ୟକାରିଣୀ ବୈଠକ ପରେ ଅର୍ଥାତ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ହେଉଛି । କିଛି ହେଭିୱେଟ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇ ସଂଗଠନ ଦାୟିତ୍ୱ ଦିଆଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି, ଗୁଜରାଟରେ ଭଲ ପ୍ରଦର୍ଶନ କରିଥିବା କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ଅନ୍ୟପଟେ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେହି ରାଜ୍ୟର କିଛି ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ କରାଯାଇପାରେ ।

ସେପଟେ ଏହାରି ଭିତରେ ଓଡ଼ିଶା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ତାଙ୍କ କାର୍ଯ୍ୟକାଳ ଆଗକୁ ବଢ଼ିବା ନେଇ କାର୍ଯ୍ୟକାରିଣୀ ବୈଠକ ପରେ ନିଷ୍ପତି ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ମନ୍ତ୍ରୀ ପଦ ପରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଦାୟିତ୍ୱ ପାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂଗଠନର କିଛି ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି ।

ମୋଦୀଙ୍କ ‘୨୪’ ମାଷ୍ଟର ପ୍ଲାନ

  • ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ
  • ବଢ଼ିପାରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ
  • ଧର୍ମେନ୍ଦ୍ରଙ୍କୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ
  • ଚଳିତ ମାସରେ ହେବ ମନ୍ତ୍ରିମଣ୍ଡଳ ଅଦଳବଦଳ
  • ପଶ୍ଚିମ ଓଡ଼ିଶା ସାଂସଦଙ୍କୁ ମିଳିପାରେ ସୁଯୋଗ
  • ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଅବଧି ବଢ଼ିବା ସମ୍ଭାବନା