ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ଜେପି ନଡ୍ଡା । ମାଉସୀ ମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୋଡ୍ ସୋ’ ।

177

କନକ ବ୍ୟୁରୋ: ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତାକାଲି ସକାଳୁ ମାଉସୀ ମାଆ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ଯାଏଁ କରିବେ ରୋଡ୍ ସୋ’ । ତେବେ ଖାଲି ସେତିକି ନୁହେଁ, ଆସନ୍ତାକାଲି ମଧ୍ୟ ରାଉରକେଲାରେ ନଡ୍ଡା ନିର୍ବାଚନୀ ସଭା କରିବେ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ସୂଚନା ମୁତାବକ, ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା । ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଆସନ୍ତାକାଲି ଭୁବନେଶ୍ୱରରେ ରୋଡ୍ ସୋ’ କରିବା ସହ ସେଠାରୁ ପଦ୍ମପୁର ଏବଂ ସୁନ୍ଦରଗଡ ସମାବେଶରେ ଯୋଗଦେବେ ।

ଅନ୍ୟପଟେ ୧୬ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ବ୍ରଜରାଜନଗର, ବଣାଇ, ଅତାବିରା ଏବଂ ଜଟଣୀରେ ନିର୍ବାଚନୀ ସଭା କରିବେ । ସେହିଦିନ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ମଧ୍ୟ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବେ । ୧୭ ତାରିଖରେ ହେମନ୍ତ ବିଶ୍ୱଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଞ୍ଝି, ଲୋଇସିଂହା,ସତ୍ୟବାଦୀ, ପିପିଲିରେ ସଭା କରିବେ । ସେହିପରି ୧୭ ତାରିଖରେ ବିଷ୍ଣଦେବ ସାଏ ସୁନ୍ଦରଗଡ, ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ସଭା କରିବେ ।

ସେପଟେ ହେମାମାଳିନୀ ମଧ୍ୟ ଖୁବଶୀଘ୍ର ଓଡିଶା ଆସୁଛନ୍ତି । । ଆସନ୍ତା ୧୭ ତାରିଖରେ ଓଡିଶା ଆସୁଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ । । ଭୁବନେଶ୍ୱର ଓ କଟକରେ ସେ ଜନସଭାକୁ ସମ୍ବୋଧିତ କରିବେ । ଏହାସହ ପିପିଲିରେ ରୋଡ-ଶୋ କରିବେ ଡ୍ରିମ୍ ଗର୍ଲ । ଏହାପରେ ୧୭ ଓ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୁନ୍ଦରଗଡ ଓ ବଣାଇରେ ଦୁଇଟି ସଭା କରିବେ ।