ଆଜି ବିଜେପିକୁ ମିଳିପାରେ ନୂଆ ସଭାପତି । ଜେ.ପି ନଡ୍ଡା ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଏକପ୍ରକାର ଥୟ। ଖାଲି ଔପଚାରିକ ଘୋଷଣାକୁ ଅପେକ୍ଷା

ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା

88

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟିକୁ ଆଜି ମିଳିପାରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଅମିତ ଶାହାଙ୍କ ସ୍ଥାନରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ନିର୍ବିବାଦରେ ନିର୍ବାଚିତ କରିପାରେ ବୋଲି ଶୁଣିବାକୁ ମିଳୁଛି । ବିଜେପି ଅଧ୍ୟକ୍ଷ ସର୍ବସମ୍ମତିରେ ଏବଂ ବିନା ନିର୍ବାଚନରେ ବଛାଯିବାର ପରମ୍ପରା ରହିଆସିଛି । ତେଣୁ ଏଥର ମଧ୍ୟ ସେହି ପରମ୍ପରା ଆଧାରରେ ଅଧ୍ୟକ୍ଷ ମନୋନୀତ ହେବାର ବହୁ ସମ୍ଭାବନା ରହିଛି ।

ଏହାଛଡା ଦୀର୍ଘଦିନ ହେଲା ମୋଦି ଓ ଶାହାଙ୍କ ଦୃଷ୍ଟିରେ ବିଜେପିର ଅଧ୍ୟକ୍ଷ ଭାବେ ସର୍ବାଧିକ ପସନ୍ଦ ନେତା ହୋଇରହିଛନ୍ତି ଜେପି ନଡ୍ଡା । ତେଣୁ ଚର୍ଚ୍ଚା ହେଉଛି ଆଜି ଦଳର ଶୀର୍ଷ ନେତାଙ୍କ ସହ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଅଧ୍ୟକ୍ଷ ପଦ ପାଇଁ ଜେପି ନଡ୍ଡା ନାମାଙ୍କନ ଦାଖଲ କରିପାରନ୍ତି । ନୂଆ ଅଧ୍ୟକ୍ଷ ନିର୍ବାଚନ ସହ ଦଳର ବର୍ତମାନର ଅଧ୍ୟକ୍ଷ ଅମିତ ଶାହାଙ୍କ ସାଢେ ୫ ବର୍ଷରୁ ଅଧିକ କାର୍ଯ୍ୟକାଳ ଶେଷ ହେବ । ଶାହାଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳରେ ବିଜପି ସାରା ଦେଶରେ ପ୍ରଭାବ ବିସ୍ତାର କରିପାରିଥିଲା ।

ଶାହାଙ୍କ କାର୍ଯ୍ୟକାଳ ନିର୍ବାଚନ ଦୃଷ୍ଟିରୁ ବିଜେପିର ସର୍ବଶ୍ରେଷ୍ଠ ସମୟ ଥିଲା, ତେବେ କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳକୁ ଶକ୍ତ ଝଟକା ମଧ୍ୟ ଲାଗିଥିଲା । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଅମିତ ଶାହା କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ବିଜେପି ନୂଆ ଅଧ୍ୟକ୍ଷ ଖୋଜିବା ଆରମ୍ଭ କରିଦେଇଥିଲା । କାରଣ ଦଳରେ ଗୋଟିଏ ବ୍ୟକ୍ତି, ଗୋଟିଏ ପଦର ପରମ୍ପରା ରହି ଆସିଛି । ତେଣୁ ଗତ ବର୍ଷ ଜୁଲାଇରେ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।