ଦୁର୍ନୀତିରେ ବୁଡିଛି ସରକାର, ଉପାଡିକି ଫିଙ୍ଗି ଦିଅ । ଓଡ଼ିଶାକୁ ଦରକାର, ଡବଲ ଇଞ୍ଜିନ ସରକାର । ୨୦୨୪ ପାଇଁ କର୍ମୀଙ୍କୁ ମନ୍ତ୍ର ଦେଲେ ବିଜେପି ମୁଖିଆ ।

216

କନକ ବ୍ୟୁରୋ : ଦୁର୍ନୀତିରେ ବୁଡି ରହିଛି ରାଜ୍ୟ ସରକାର । ରାଜ୍ୟରେ ଏବେ କୁଶାସନ ଚାଲିଛି, ରକ୍ଷକ ଏଠାରେ ଭକ୍ଷକ ସାଜିଛନ୍ତି । ଏଠାରେ ସରକାର ଡୁପ୍ଲିକେଟ, ଚାବି ବି ଡୁପ୍ଲିକେଟ । ତେଣୁ ଓଡ଼ିଶାକୁ ଦରକାର, ଡବଲ ଇଞ୍ଜିନ ସରକାର । କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ ଏହାସହ ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଢିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଦଳର ମୁଖିଆ । ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ନଡ୍ଡା ଯେଉଁ ତୀର ମାରିଛନ୍ତି ତାହା ଦଳୀୟ କର୍ମୀଙ୍କ ମନରେ ଜୋଶ ଭରିଛି ।

ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ନଡ୍ଡା କହିଛନ୍ତି, ରାଜ୍ୟ ସରକାର ଏବେ ଦୁର୍ନୀତିରେ ବୁଡି ରହିଛି । ଶାସକ ଦଳର ନେତାଙ୍କ ଅଜାଣତରେ ଏଭଳି ଦୁର୍ନୀତି କଣ ସମ୍ଭବ କି? ଶୀର୍ଷ ସ୍ତରରୁ ଶେଷ ସ୍ତର ପର୍ଯ୍ୟନ୍ତ ସବୁଠି ଦୁର୍ନୀତିର ଛାପ । ତେଣୁ ଏଭଳି ଦୁର୍ନୀତିଖୋର ସରକାରଙ୍କୁ ଉପାଡି ଫିଙ୍ଗିବାକୁ ପଡିବ ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଆଣିବାକୁ ପଡିବ । ବିଜେଡି କେବଳ କେନ୍ଦ୍ରର ଯୋଜନାରେ ମୋହର ମାରି ଶ୍ରେୟ ନେବାକୁ ଚାହିଁ ବସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ମୋହର ମାରି ଶ୍ରେୟ ନେଉଛନ୍ତି ରାଜ୍ୟ ସରକାର । ଆୟୁଷ୍ମାନ ଭାରତ ଯୋଜନା ଦେଶର ଅଧିକାଂଶ ରାଜ୍ୟ ଲାଗୁ କରିଥିବା ବେଳେ ଓଡ଼ିଶା ଏଥିରୁ ଦୂରେଇ ରହିଛି । ଯାହାଦ୍ୱାରା ଅନେକ ଓଡ଼ିଆ କେନ୍ଦ୍ରର ଆୟୁଷ୍ମାନ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏଭଳି ସରକାରଙ୍କୁ ଆଗାମୀ ନିର୍ବାଚନରେ ଉଚିତ୍ ଶିକ୍ଷା ଦେବେ ଓଡ଼ିଶାବାସୀ ।

ଏହାଛଡା ଓଡ଼ିଶାରେ ଏବେ ରକ୍ଷକ ହିଁ ଭକ୍ଷକ ସାଜିଛନ୍ତି । ୩ ମନ୍ତ୍ରୀଙ୍କ ନାଁରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଯଦି ସରକାରରେ ଥିବା ମନ୍ତ୍ରୀଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସେ ତେବେ ପ୍ରଶାସନ କେତେ କୁଶାସନ କରୁଛି ତାହା ସହଜରେ ଅନୁମେୟ । ଶ୍ରୀମନ୍ଦିରର ରତ୍ନଭଣ୍ଡାର ଏବେ ସୁରକ୍ଷିତ ନାହିଁ । କିଏ କହୁଛି ଚାବି ହଜିଯାଇଛି, କିଏ କହୁଛି ଚାବି ଡୁପ୍ଲିକେଟ । ଯଦି ସରକାର ଡୁପ୍ଲିକେଟ ହେବ ତେବେ ଚାବି ମଧ୍ୟ ଡୁପ୍ଲିକେଟ ହେବା ସ୍ୱାଭାବିକ । ଓଡ଼ିଶାରେ କେହି ସୁରକ୍ଷିତ ନୁହଁନ୍ତି, ତେଣୁ ଏଭଳି ସରକାରକୁ ଉପାଡି ଫିଙ୍ଗିଦେବାର ଆବଶ୍ୟକତା ରହିଛି । ଆଉ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବା ସହ ବିକାଶର ଧାରାକୁ ଆଗକୁ ନେବାକୁ ଆହ୍ୱାନ ଦେଇଛନ୍ତି ନଡ୍ଡା । ଆଉ ନଡ୍ଡାଙ୍କ ଏହି ମନ୍ତ୍ର ଏବେ ଦଳୀୟ ଶିବିରକୁ ଆକ୍ଟିଭମୋଡକୁ ଆଣିଛି । ତେବେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଏହା କେତେ ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା । କାରଣ ପୂର୍ବରୁ ମଧ୍ୟ ଡବଲ ଇଞ୍ଜିନ ସରକାରର ନାରା ଦେଇ ୨୦୧୯ ନିର୍ବାଚନ ଲଢିଥିଲା ବିଜେପି । କିନ୍ତୁ ରାଜ୍ୟବାସୀ ଡବଲ ଇଞ୍ଜିନ ସରକାର ବଦଳରେ ପୁଣିଥରେ ବିଜେଡିକୁ ବାଛିଥିଲେ ।