ଜୟ ଜଗନ୍ନାଥରୁ ଆରମ୍ଭ, ଜୟ ଜଗନ୍ନାଥରେ ଶେଷ ହେଲା ନଡ୍ଡାଙ୍କ ଭାଷଣ । କହିଲେ, ସବୁ ଭାରତୀୟଙ୍କ ବସ୍ ସ୍ୱୟଂ ଜଗନ୍ନାଥ, ବିଜେଡି ମୁକ୍ତ ଓଡ଼ିଶା ପାଇଁ ଦେଲେ ଆହ୍ୱାନ ।

95

କନକ ବ୍ୟୁରୋ : ସେହି ଭାଷା, ସେହି ଅନ୍ଦାଜ । ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛି, ତେଣୁ ଏହି ସରକାରକୁ ଉପାଡି ଫିଙ୍ଗିଦେବାକୁ ଆହ୍ମାନ ଦେଇଛନ୍ତି ବିଜେପି ମୁଖିଆ । ସଂଯୁକ୍ତ ମୋର୍ଚ୍ଚ ସମ୍ମିଳନୀରେ କିଛି ଏଭଳି ଢଙ୍ଗରେ ବିଜେଡି ସରକାରକୁ ତୀର ମାରିଛନ୍ତି ନଡ୍ଡା । ଏହି ଦୁର୍ନୀତିଖୋର ସରକାରକୁ ହଟାଇ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଦଳର ସଂଯୁକ୍ତ ମୋର୍ଚ୍ଚାକୁ ମନ୍ତ୍ର ଦେଇଛନ୍ତି ନଡ୍ଡା ।

ଏହାସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ବିକଶିତ ହେଉଛି । ଭାରତ ଏବେ ବିଶ୍ୱରେ ନୂଆ ଶକ୍ତି ଭାବେ ଉଭା ହୋଇଛି । ସେହିଭଳି ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଆମକୁ ଓଡ଼ିଶାକୁ ବିଜେଡି ମୁକ୍ତ କରିବାକୁ ପଡିବ । ଆଉ ନଡ୍ଡାଙ୍କ ବିଜେଡି ମୁକ୍ତ ନାରା ଏବେ କେବଳ ନେତା ନୁହେଁ ବରଂ କର୍ମୀଙ୍କୁ ମଧ୍ୟ ଉତ୍ସାହିତ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ରାଜନୀତିକୁ ନେଇ ବିଜେପିର ଆଭିମୁଖ୍ୟ କଣ ରହିଛି ତାହା ସ୍ପଷ୍ଟ କରି ସାରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନାର ସର ମାରିଛନ୍ତି ଧର୍ମେନ୍ଦ୍ର ।

ଏହାବାଦ୍ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ମନରେଗା କାମରେ ହେଉଥିବା ନକଲି ବିଲ ବିରୋଧରେ ଲଢ଼ିବାକୁ ପଡ଼ିବ ଜ୍ଝ ଏହି ଭ୍ରଷ୍ଟାଚାରୀ ସରକାର ବିରୋଧରେ ଲଢ଼ିବାକୁ ପଡ଼ିବ । ଏଠାକାର ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଆରୋପ ଲାଗିଛି । ଏମାନେ ରକ୍ଷକ ନୁହେଁ ଭକ୍ଷକ ଜ୍ଝ ଏମାନଙ୍କ ଠାରୁ ମୁକ୍ତ ହେବାକୁ ପଡ଼ିବ । ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିଲା ଜ୍ଝ ଡୁପ୍ଲିକେଟ ଚାବି ଡୁପ୍ଲିକେଟ ନେତା । ତେଣୁ ଆମକୁ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷା କରିବାକୁ ପଡିବ । ଆଉ ଏଥିପାଇଁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡିବ । ତେଣୁ ଏବେଠୁ ପରିଶ୍ରମ କରନ୍ତୁ ସଂଯୁକ୍ତ ମୋର୍ଚ୍ଚାର କର୍ମକର୍ତ୍ତା । ଏହାଛଡା ବିଜେଡି କହୁଛି ଆମର ବସ୍ ଦିଲ୍ଲୀରେ ବସିଛନ୍ତି । କିନ୍ତୁ ଦିଲ୍ଲୀରେ ଆମର କେହି ବସ ନାହାନ୍ତି, ଦିଲ୍ଲୀରେ ଆମର ପ୍ରଧାନ ସେବକ ବସିଛନ୍ତି । ଆଉ ପୂରା ବିଶ୍ୱର ବସ୍ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ତାଙ୍କ ଉପରେ ଆଉ କେହି ବସ୍ ନାହାନ୍ତି । ଯିଏ ପୂରା ଜଗତର ସର୍ବେସର୍ବା । ଯିଏ ପୂରା ବିଶ୍ୱକୁ ପରିଚାଳିତ କରୁଛନ୍ତି । ଜୟ ଜଗନ୍ନାଥରୁ ନଡ୍ଡା ଭାଷଣ ଆରମ୍ଭ କରିଥିବା ବେଳେ ଜୟ ଜଗନ୍ନାଥରେ ଶେଷ କରିଛନ୍ତି । ଆଉ ଏହା ଭିତରେ ଓଡ଼ିଶାରେ ବିଜେଡି ସରକାରକୁ ହଟାଇ ବିଜେପି ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି ଜେ.ପି ନଡ୍ଡା ।