ପଦ୍ମପୁର ସଭାରୁ ବିଜେଡିକୁ ଟାର୍ଗେଟ କଲେ ନଡ୍ଡା । କହିଲେ ଓଡ଼ିଶାରେ ଅଧିକାରୀ ଚଳାଉଛନ୍ତି ସରକାର, ୨୪ ବର୍ଷରେ ବହୁତ ଅତ୍ୟାଚାର ସହିଲେଣି ଓଡ଼ିଶାବାସୀ, ଏବେ… ।

135

କନକ ବ୍ୟୁରୋ : ପଦ୍ମପୁରରେ ବିଶାଳ ଜନସଭାରେ ଯୋଗ ଦେଇ ମୋଦୀ ସରକାରର ସଫଳତା ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନିଜ ଅଭିଭାଷଣରେ ନଡ୍ଡା କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ରାଜନୀତିର ପରିଭାଷା ବଦଳିଛି । ୧୦ ବର୍ଷ ପୂର୍ବେ ଜାତି, ଧର୍ମକୁ ନେଇ କିଛି ଦଳ ରାଜନୀତି କରୁଥିଲେ । ତୁଷ୍ଟିକରଣ ରାଜନୀତିରେ ମାତିଥିଲେ କିଛି ରାଜନେତା । ଭୋଟବ୍ୟାଙ୍କ ରାଜନୀତି କରୁଥିଲେ । କିନ୍ତୁ ମୋଦୀ ନେତୃତ୍ୱରେ ଉତ୍ତରଦାୟୀ ରାଜନୀତି ଆରମ୍ଭ ହୋଇଛି । ଏବେ ବିକଶିତ ଭାରତ ଚାହୁଁଛନ୍ତି ଦେଶବାସୀ ।

ନଡ୍ଡା କହିଛନ୍ତି, ମୋଦୀ ସରକାର କୋଟି କୋଟି ଗରିବଙ୍କୁ ପ୍ରତି ମାସ ୫ କିଲୋ ଲେଖାଏଁ ଚାଉଳ ପ୍ରଦାନ କରୁଛନ୍ତି । ଯେଉଁଥିପାଇଁ ୨୫ କୋଟି ଲୋକ ଗରିବୀ ସୀମାରେଖାରୁ ବାହାରକୁ ଆସିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ୫ ବର୍ଷରେ ବିଜୁଳି ବିଲ୍ ମଧ୍ୟ ଶୂନ କରାଯିବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏହି ଲାଭ ପାଇବେ ଲୋକେ । ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳୁଥିଲା । କିନ୍ତୁ ଏହା ନବୀନ ବାବୁଙ୍କୁ ପସନ୍ଦ ଆସିଲାନି । ଆୟୁଷ୍ମାନ ବଦଳରେ ବିଏସକେୱାଇ ଲାଗୁ କଲେ । ଆୟୁଷ୍ମାନ ଲାଗୁ ନ କରିବା କାରଣରୁ ୬୮ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବିଏସକେୱାଇ ଓଡ଼ିଶା ବାହାରେ କାମ କରିବନି କିନ୍ତୁ ବାହାର ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଡ କାମ କରିବ । ୭୦ ବର୍ଷରୁ ବୟସର ଲୋକଙ୍କୁ ମଧ୍ୟ ମାଗଣା ଚିକିତ୍ସା ସୁବିଧା ପାଇବେ ।

ଓଡ଼ିଶାର ବିକାଶ ପାଇଁ ସବୁବେଳେ ମୋଦୀ ସହଯୋଗ କରି ଆସିଛନ୍ତି । ଓଡ଼ିଶାର ଶାସନ ଏବେ କିଏ ଚଳାଉଛି? ଭୋଟ ଜଣକୁ ଦିଆଯାଉଛି, କିନ୍ତୁ ସରକାର ଅନ୍ୟ କିଏ ଚଳାଉଛି? ଅଧିକାରୀ ଏଠାରେ ସରକାର ଚଳାଉଛନ୍ତି । ବିଧାୟକ, ସାଂସଦ ହାତ ବାନ୍ଧି ବସିଛନ୍ତି । ଯାହାକୁ ସାଧାରଣ ଲୋକ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନଙ୍କ କଥା ଶୁଣାଯାଉନି, କିନ୍ତୁ ଯାହା କଥା ଶୁଣାଯାଉଛି ସେମାନଙ୍କୁ ଓଡ଼ିଶାବାସୀ ଜାଣିନାହାନ୍ତି । ଏଭଳି ସରକାର ଓଡ଼ିଶାରେ ରହିବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଭାଷଣ ଦେଉଛନ୍ତି କି? ଆପଣଙ୍କ କଥା ଶୁଣୁଛନ୍ତି କି? ଯଦି ନାଁ ତେବେ ଏ ସରକାରର ଆବଶ୍ୟକତା କଣ?

ଓଡ଼ିଶାବାସୀ ଜଣେ ଯୁବକ ଓ ଓଡ଼ିଆ ଭାଷାରେ କହୁଥିବା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଯିଏ ପ୍ରତିଦିନ ଲୋକଙ୍କ ସମସ୍ୟାକୁ ବୁଝୁଥିବ ସେଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି ଓଡ଼ିଶାବାସୀ । ଯଦି ଏଭଳି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ତେବେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ । ଓଡ଼ିଶାର ସଂସ୍କୃତିକୁ ଜାଣୁଥିବା ଏବଂ ଓଡ଼ିଆ ଅସ୍ମିତାକୁ ଚିହ୍ନୁଥିବା ମୁଖ୍ୟମନ୍ତ୍ରୀ ଚାହାନ୍ତି ଓଡ଼ିଶାବାସୀ । ବିଜେଡି ନେତା କୋଟି କୋଟି ଟଙ୍କା ଚଳୁ କରିଛନ୍ତି, ତେଣୁ ଏମାନଙ୍କୁ ଆଉ ବିଶ୍ୱାସ କରନ୍ତୁନି । ସୁଭଦ୍ରା ଯୋଜନାକୁ ଲାଗୁ କରିବାକୁ ହେଲେ ବିଜେପି ସରକାର ଆଣିବାକୁ ହେବ । ରତ୍ନଭଣ୍ଡାର ଚାବି ଚାହୁଁଥିଲେ ପଦ୍ମ ଫୁଲରେ ମୋହର ମାରିବାକୁ ଅପିଲ କରିଛନ୍ତି ନଡ୍ଡା । ଓଡ଼ିଶାର ଲୋକଙ୍କ ସହ ବହୁତ ଅତ୍ୟାଚାର ହେଲାଣି, କିନ୍ତୁ ଏବେ ଓଡ଼ିଶାବାସୀ ଆଉ ସହିବେନି । ଏଥର ଓଡ଼ିଶାର ବିକାଶ ପାଇଁ ବିଜେପିକୁ ଓଡ଼ିଶାବାସୀ ବାଛିବେ ବୋଲି କହିଛନ୍ତି ନଡ୍ଡା ।