ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସରଗରମ ରାଜନୀତି । ବିଜେପିର ମୁଠି ଚାଉଳ ଅଭିଯାନର ଆରମ୍ଭ କଲେ ଜେପି ନଡ୍ଡା

131

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମମତାଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରୁ ବିଜେପିର ଏକ ମୁଠା ଚାଉଳ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି ଜେପି ନଡ୍ଡା । ରାଧା ଗୋବିନ୍ଦ ମନ୍ଦିର ଦର୍ଶନ ସହ ନିଜର ଗସ୍ତ ଆରମ୍ଭ କରିଛନ୍ତି । ଏକ ମୁଠା ଚାଉଳ ସଂଗ୍ରହ ଅଭିଯାନ ଆରମ୍ଭ କରିବା ସହ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ଏହି ବରିଷ୍ଠ ନେତା ।

ବର୍ଦ୍ଧମାନରୁ ମମତା ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ବିଜେପି । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ମମତା ନିଜ ନା ଦେଇ ଚଳାଉଥିବା ଅଭିଯୋଗ କରିଛନ୍ତି ନଡ୍ଡା । କୃଷକ ସୁରକ୍ଷା ଅଭିଯାନ ଆରମ୍ଭ କରି କୃଷକଙ୍କ ଘରୁ ଏକ ମୁଠା ଚାଉଳ ଦାନ ନେଇଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଆଜି ଠାରୁ ୨୪ତାରିଖ ପର୍ଯ୍ୟନ୍ତ ବିଜେପି ୪୦ହଜାର ଗ୍ରାମ ସଭା କରିବ ଏବଂ ଚାଷୀଙ୍କ ପାଇଁ ବିଜେପି କର୍ମକର୍ତା ଲଢିବେ ଲାଗି ପ୍ରତିଜ୍ଞା କରିବେ ।

ଗସ୍ତ ସମୟରେ ବର୍ଦ୍ଧମାନ ଜିଲ୍ଲାର ଜଗଦାନନ୍ଦପୁରରେ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଜେପି ନଡ୍ଡା । ଏହାପରେ କ୍ଲକ ଟାୱାରରୁ ଲର୍ଡ କର୍ଜନ ଗେଟ ପର୍ଯ୍ୟନ୍ତ ୯କିଲୋମିଟର ଯାଏଁ ରୋଡ ସୋ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତାଙ୍କ ରୋଡ ସୋ ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଗତ ମାସ ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କ ଶୋଭାଯାତ୍ରାରେ ଆକ୍ରମଣ ହୋଇଥିଲା । ଏହାପରେ ପ୍ରଥମ ଥର ପାଇଁ ଶନିବାର ଦିନ ପୁଣି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।