ଫ୍ଲାଏଓଭରରେ ଫଶି ରହିଥିଲେ ମୋଦୀ, ଫୋନ୍ ଉଠାଇନଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଚନ୍ନି ସରକାରକୁ ଟାର୍ଗେଟ କଲେ ନଡ୍ଡା ।

1,253

କନକ ବ୍ୟୁରୋ : ପଞ୍ଜାବରେ ଫ୍ଲାଏଓଭର ଉପରେ ମୋଦୀଙ୍କ କାରକେଡ ୧୫ରୁ ୨୦ ମିନିଟ୍ ରହିବା ପରେ ଗୃହ ମନ୍ତ୍ରାଳୟ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି କହିଛି । ଏପରିକି ଏନେଇ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମଗାଯାଇଛି । ଅନ୍ୟପଟେ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ କହିଛନ୍ତି ଯେ, ମୁଁ ବିମାନବନ୍ଦର ପର୍ଯ୍ୟନ୍ତ ଜୀବନ୍ତ ଫେରିଛି, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ । କିଛି ଏଭଳି କହି ପରୋକ୍ଷରେ ପଞ୍ଜାବ ସରକାରର ସୁରକ୍ଷା ବ୍ୟବସ୍ଥା ଉପରେ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି ମୋଦୀ । ଅନ୍ୟପଟେ ଏହି ଘଟଣା ପରେ ଟ୍ୱିଟ୍ କରି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ନଡ୍ଡା କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ ଫ୍ଲାଏଓଭରରେ ଫଶି ରହିଥିଲା ସେତେବେଳେ ଚରଣଜିତ୍ ସିଂ ଚନ୍ନି ଏପ୍ରସଙ୍ଗରେ ଫୋନରେ କଥା ହେବାକୁ ମନା କରିଥିଲେ ।

ନଡ୍ଡା ସିରିଜ ଟ୍ୱିଟ୍ କରି ଚନ୍ନି ସରକାରଙ୍କୁ ବାଣ ମାରିଛନ୍ତି । ନଡ୍ଡା ଲେଖିଛନ୍ତି, ପଞ୍ଜାବରେ ଆଗାମୀ ନିର୍ବାଚନରେ ପରାଜିତ ହେଉଥିବା ଜାଣିବା ପରେ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀଙ୍କ ସଭାକୁ ରଦ୍ଦ କରିବାକୁ ବିଭିନ୍ନ ଉପାୟ ଆପଣାଇଥିଲା । ଏଭଳି କରିବା ସମୟରେ କଂଗ୍ରେସ ସରକାର ଭୁଲି ଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭଗତ ସିଂ ଓ ଅନ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଉଛନ୍ତି । ଏଭଳି କରି କଂଗ୍ରେସ ବିକାଶ ବିରୋଧୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେଉନଥିବା ଦର୍ଶାଇଛି ।

ବିଜେପି ଅଧ୍ୟକ୍ଷ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଚରମ ଅବହେଳା ସବୁଠୁ ବଡ ଚିନ୍ତାଜନକ କଥା । କାରଣ ପଞ୍ଜାବର ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମୋଦୀ କାରକେଡ ଯେଉଁବାଟେ ଯିବ ତାହା ସମ୍ପୂର୍ଣ୍ଣ ଫାଙ୍କା ରହିଛି । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ କିଭଳି ମୋଦୀଙ୍କ ରୁଟରେ ପ୍ରଦର୍ଶନକାରୀଙ୍କୁ ଆସିବାକୁ ଦିଆଗଲା? ଏସବୁ ଭିତରେ ଯେତେବେଳେ ମୋଦୀ ଫ୍ଲାଏଓଭରରେ ଫଶି ରହିଥିଲେ ସେତେବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ନା ଫୋନରେ କଥା ହୋଇଥିଲେ ନା ଏହାର ସମାଧାନ ପାଇଁ କୌଣସି ବ୍ୟବସ୍ଥା କରିଥିଲେ । ଏଭଳି ଆଭିମୁଖ୍ୟ ଲୋକତନ୍ତ୍ରରେ ବିଶ୍ୱାସ ରଖିଥିବା ଲୋକଙ୍କୁ କଷ୍ଟ ଦେବ ନିଶ୍ଚୟ ।

କଣ ଥିଲା ପୂରା ଘଟଣା :
ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।

ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା । ଯାହା କରାଯାଇନଥିଲା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କୁ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।