ରାଉରକେଲା ଜେପି ହସ୍ପିଟାଲକୁ ବଡ ସଫଳତା। ସଫଳ ହେଲା ଦୁଇ ମହିଳାଙ୍କ ଓପନ ହାର୍ଟ ସର୍ଜରୀ ।

ପଶ୍ଚିମ ଓଡିଶାବାସୀ ପାଇବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ।

126

କନକ ବ୍ୟୁରୋ: ରାଉରକେଲାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମିଳିଛି ବଡ ସଫଳତା । ଅତ୍ୟାଧୁନିକ ଭିତ୍ତିଭୂମିରେ ତିଆରି ହୋଇଥିବା ରାଉରକେଲାର ଜେପି ହସ୍ପିଟାଲରେ ପ୍ରଥମ ଥର ପାଇଁ ଦୁଇ ଜଣ ମହିଳାଙ୍କ ସଫଳ ଓପନ ହାର୍ଟ ସର୍ଜରୀ ହୋଇଛି । ରାଉରକେଲା ସହରରେ ଏଭଳି ସଫଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ ହୋଇଛି । ଓଡିଆ ଯୁବ ହୃଦ୍ଶଲ୍ୟ ବିଶେଷଜ୍ଞ ଏହି ଅପରେସନ କରି ଏକ ନୂଆ ମାଇଲଖୁଂଟ ସ୍ଥାପନ କରିଛନ୍ତି ।

ହୃତପିଣ୍ଡ ଜନିତ ସମସ୍ୟା ଯୋଗୁଁ ଗୁରୁତର ହୋଇପଡିଥିବା ଦୁଇ ଜଣ ମହିଳା ଜୋହାନ ମିଂଜ ଓ ଝିଲି ସାହୁଙ୍କୁ ଗତ ୨୫ ଓ ୨୬ ତାରିଖରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଏମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉଭୟଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାର ସଂପୂର୍ଣ୍ଣ ମାଗଣାରେ ହୋଇପାରିଛି । ଜୋହାନ ଓ ଝିଲି ସୁସ୍ଥ ହେବା ପରେ ସେମାନଙ୍କୁ ଡାକ୍ତରଖାନାରୁ ଛାଡିଦିଆଯାଇଛି । ଆଗାମୀ ଦିନରେ ପଶ୍ଚିମ ଓଡିଶାର ହୃଦ୍ ସମସ୍ୟା ରୋଗୀଙ୍କୁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । କାରଣ ରାଉରକେଲାର ଏହି ଅତ୍ୟାଧୁନିକ ଜୟପ୍ରକାଶ ହସ୍ପିଟାଲଠାର ଏସବୁ ରୋଗର ଚିକିତ୍ସା ବେଶ୍ ସୁବିଧାରେ ଯୋଗାଇ ଦିଆଯାଇପାରିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।