ଜୟପୁର ବିଧାନସଭା ପାଇଁ ତିନି ଦଳର ପ୍ରାର୍ଥୀ ପ୍ରସ୍ତୁତ । ତାରାଙ୍କୁ ଟକ୍କର ଦେବେ ବିଜେଡିରୁ ଇନ୍ଦିରା ନନ୍ଦ ଓ ବିଜେପିରୁ ଗୌତମ ସାମନ୍ତରାଏ

171

କନକ ବ୍ୟୁରୋ : ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଗତଥର ବିଜେପି ପ୍ରାର୍ଥୀ ଥିବା ଗୌତମ ସାମନ୍ତରାୟଙ୍କୁ ପୁଣି ଥରେ ଟିକେଟ୍ ଦେଇଛି ଦଳ । ୨୦୧୯ ନିର୍ବାଚନରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବା ସହ ଗୌତମ ସାମନ୍ତରାୟ ତୃତୀୟ ସ୍ଥାନରେ ରହିଥିଲେ । ଗୌତମ ସାମନ୍ତରାୟଙ୍କୁ ୩୩ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ଜୟପୁର ଆସନ ପାଇଁ ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏବେ ବିଜେପି ନିଜ ଦଳୀୟ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆଣିଛି । ଫଳରେ ଜୟପୁର ବିଧାନସଭା ଆସନ ପାଇଁ ତିନି ଦଳର ପ୍ରାର୍ଥୀ ଚୁଡ଼ାନ୍ତ ହୋଇଛି । ଏଥର କଂଗ୍ରେସର ତାରା ପ୍ରସାଦ ବାହିନୀପତି, ବିଜେଡି ଇନ୍ଦିରା ନନ୍ଦ ଏବଂ ବିଜେପିର ଗୌତମ ସାମନ୍ତରାୟଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି ।

ସେପଟେ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ସରଗରମ ହୋଇଛି ରାଜନୀତି । ନିର୍ବାଚନ ଲଢେଇ ପାଇଁ ତିନି ଦଳର ପ୍ରାର୍ଥୀ ପ୍ରସ୍ତୁତ । ପ୍ରଥମ ପର୍ଯ୍ୟାୟରେ ଜୟପୁରରେ ନିର୍ବାଚନ ହେବାକୁ ଥିବାରୁ ଆଜି କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ସେହିପରି ବିଜେଡି ପ୍ରାର୍ଥୀ ଇନ୍ଦିରା ନନ୍ଦ ଆସନ୍ତା ୨୪ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି ।