ତେଜରାତି ଦୋକାନରୁ ଦୁବାଇ ଯାତ୍ରା । ବାକି ଖାତାର ହିସାବ ଲେଖୁଥିଲେ, ଏବେ IPLରେ ରନର ହିସାବ ରଖିବେ ଓଡିଆ ପୁଅ । ଚଳିତ ଆଇପିଏଲର ସ୍କୋରର ଦାୟିତ୍ୱ ତୁଲାଇବେ ସୂର୍ଯ୍ୟକାନ୍ତ ।

3,545

କନକ ବ୍ୟୁରୋ : ତେଜରାତି ଦୋକାନରୁ ଚକାଚକ ଷ୍ଟାଡିୟମ । ବାକି ଖାତା ହିସାବ ଲେଖୁଥିଲେ ଏବେ ପ୍ରତି ବଲର ସ୍କୋର ଲେଖିବେ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ମଣିଷଙ୍କ ବାବଦରେ କହିବୁ ଯିଏ ଜୀବନରେ ଅନେକ ସଂଘର୍ଷ ପରେ ପାଇଛନ୍ତି ବଡ ସଫଳତା । ରୋଜଗାର ପାଇଁ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ଯାଇଛନ୍ତି, ଆଉ ଏସବୁ ପରେ ବି ମନରେ ଦୁକୁଦୁକୁ ହୋଇ ଜଳୁଥିବା ଆଶାକୁ ପୂରଣ କରିବାରେ ସେ ସଫଳ ହୋଇଛନ୍ତି ।

ଏଥର ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ ମ୍ୟାଚ ପାଇଁ ରନ ସ୍କୋରର ଭାବେ ମନୋନୀତ ହୋଇଛନ୍ତି ସୂର୍ଯ୍ୟକାନ୍ତ ପଣ୍ଡା । ମାତ୍ର ଦଶମ ଯାଏଁ ପାଠ ପଢିଥିବା ସୂର୍ଯ୍ୟକାନ୍ତ ପଶ୍ଚିମବଙ୍ଗର ହୁଗୁଳୀରେ ଏକ ତେଜରାତି ଦୋକାନରେ ସହାୟକ ଭାବେ କାମ କରନ୍ତି । ଗ୍ରାହକଙ୍କୁ ସାମଗ୍ରୀ ବିକିବାରେ ଦୋକାନୀଙ୍କୁ ସାହାଯ୍ୟ କରନ୍ତି ଓ ଗ୍ରାହକମାନଙ୍କର ବାକି ଖାତାର ହିସାବ ରଖନ୍ତି । ବଡ କଥା ହେଉଛି, ସୂର୍ଯ୍ୟକାନ୍ତ ପ୍ରଥମ ଥର ପାଇଁ ଏଥର ବିମାନରେ ବସିବେ । ସୂର୍ଯ୍ୟକାନ୍ତ ପଣ୍ଡା ଅଗଷ୍ଟ ୨୭ ତାରିଖରେ ଦୁବାଇ ଅଭିମୁଖେ ଯାତ୍ରା କରିବେ । ଆଇପିଏଲ୍ ସମୟରେ ପ୍ରତ୍ୟେକଟି ଅପଡେଟ୍ ସୂର୍ଯ୍ୟକାନ୍ତଙ୍କ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ସ୍କୋର ବୋର୍ଡରେ ପ୍ରଦର୍ଶନ କରାଯିବ । ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍ ଖେଳାଯିବ ।

ତେବେ ଆସନ୍ତୁ ଜାଣିବା କେମିତି ଥିଲା ସୂର୍ଯ୍ୟକାନ୍ତଙ୍କ ଦୁବାଇ ଯାତ୍ରା ?
ରୋଜଗାର ଆଶାରେ ସୂର୍ଯ୍ୟକାନ୍ତ ଓଡିଶା ଛାଡି ପଶ୍ଚିମବଙ୍ଗ ଯାଇଥିଲେ । ତାଙ୍କ ବାପା ଜଣେ ରୋଷେୟା ଥିବାବେଳେ ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନଥିଲା । ଯେଉଁଥିପାଇଁ ଭିଟାମାଟି ଛାଡି କାମ ସନ୍ଧାନରେ ପଡୋଶୀ ରାଜ୍ୟକୁ ସେ ଯାଇଥିଲେ । ତେବେ ୨୦୧୫ ରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ସ୍କୋରର ପରୀକ୍ଷାରେ ପାସ୍ କରିଥିଲେ । ନିରନ୍ତର ପ୍ରୟାସ ଏବଂ ନିଷ୍ଠା ଯୋଗୁଁ ୨୦୧୮ରେ ସୁର୍ଯ୍ୟକାନ୍ତ ଶ୍ରେଷ୍ଠ ସ୍କୋରର ପୁରସ୍କାର ଅର୍ଜନ କରିଥିଲେ । ଆଉ ୨୦୨୦ରେ ଆଇପିଏଲ୍ ସ୍କୋରର ଭାବରେ ମନୋନୀତ ହୋଇଛନ୍ତି ସୂର୍ଯ୍ୟକାନ୍ତ ।