ମୋଦିଙ୍କ ଜୀବନର କିଛି ଅଜଣା କଥା ! କେମିତି ହୋଇଥିଲେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଜାଣନ୍ତୁ ।

71

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ବଡନଗରଠାରେ ହୋଇଥିଲା । ଆଜି ହେଉଛି ତାଙ୍କର ୬୮ ତମ ଜନ୍ମଦିନ । ବାଲ୍ୟକାଳରୁ କିଛି ଅଲଗା କରିବା ସ୍ୱପ୍ନ ଦେଖୁଥିବା ମୋଦି ବାପାଙ୍କ ସହ ଷ୍ଟେସନରେ ଚା’ ବିକ୍ରିକରିବା ସହ ଯୁବାବସ୍ଥାରେ ହିମାଳୟର ସବୁଜିମାରେ ସ୍ୱୟଂକୁ ଖୋଜିବାକୁ ଚେଷ୍ଟା କରିଥିଲେ । ସେତେବେଳେ ସେ ମାତ୍ର ୧୭ ବର୍ଷ ବୟସର ଥିଲେ । ଏହାପରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଯୋଗ ଦେଇ ଦେଶସେବାରେ ନିଜକୁ ନିୟୋଜିତ କରିଥିଲେ । ସେମିତିରେ ପ୍ରଧାନମନ୍ତ୍ରୀଙ୍କ ଜୀବନ ଦେଶସେବା ପ୍ରତି ସମର୍ପିତ ରହିଛି କିନ୍ତୁ ମୋଦିଙ୍କ ବିଷୟରେ ଏଭଳି ଅନେକ କଥା ଅଛି ଯାହା ବିଷୟରେ ଆପଣ ଅନଭିଜ୍ଞ ଥିବେ । ତେବେ ଆମେ ଆଜି ଆପଣଙ୍କୁ ମୋଦିଙ୍କ ବିଷୟରେ ଏଭଳି ଅନେକ କଥା କହିବାକୁ ଯାଉଛୁ ଯାହାକୁ ପଢି ଆପଣ ପ୍ରଧାନମନ୍ତ୍ରୀଙ୍କୁ ଆହୁରି ପାଖରୁ ଜାଣିପାରିବେ ।

୧୯୭୫ ମସିହାରେ ହୋଇଥିବା ‘ଜରୁରୀ କାଳୀନ ପରିସ୍ଥିତି’ରେ ପ୍ରଥମେ ରାଜନୈତିକ ମଇଦାନରେ ପାଦ ଥାପିଥିବା ମୋଦିଙ୍କୁ ଗୁଜୁରାଟର ମହାସଚିବ ପଦବୀରେ ନିଯୁକ୍ତି ଦିଆଗଲା । ୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦବୀରେ ଅଭିଷିକ୍ତ ହୋଇଥିଲେ ଏବଂ ୨୦୧୪ ମସିହାରେ ସେ ବାରାଣାସୀରୁ ସାଂସଦ ହୋଇଥିଲେ । ଲୋକସଭା ନିର୍ବାଚନରେ ପୁଣିଥରେ ବହୁମତ ଭୋଟରେ ଜିତି ସେ ଦେଶର ପ୍ରଧାନମନ୍ତ୍ରୀ ହେବା ସହ ଯୁବଗୋଷ୍ଠୀଙ୍କ ପାଇଁ “ଷ୍ଟାଇଲ୍ ଆଇକନ୍” ହୋଇଥିଲେ । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ହିନ୍ଦୁ ରାଷ୍ଟ୍ରବାଦର ଧାରଣା ଏବଂ ୨୦୦୨ରେ ହୋଇଥିବା ଗୁଜୁରାଟର ଦଙ୍ଗାରେ ତାଙ୍କ ଭୂମିକାକୁ ନେଇ ବିବାଦ ଘେରିଥିବା ସତ୍ତେ୍ୱ ତାଙ୍କୁ ସମସ୍ତେ ଖୁବ୍ ପ୍ରଶଂସା କରୁଥିଲେ । ସର୍ବାଧିକ ଯୁବକ ଏବଂ କିଶୋରଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ରହିଥିଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ଏବଂ ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କ ପରେ ଦେଶର ସବୁଠାରୁ ଷ୍ଟାଇଲିସ୍ ଏବଂ ସ୍ମାର୍ଟ ପିଏମ୍ ହେଉଛନ୍ତି ନରେନ୍ଦ୍ର ମୋଦି ।

ତେବେ ସୋସିଆଲ୍ ମିଡିଆର ପ୍ରଘଟ ହେବା ପରେ ଲୋକଙ୍କୁ ପିଏମଙ୍କର ଟିକିନିଖି ଖବର ଉପରେ ନଜର ରହୁଛି । ସ୍ୱାଧିନତା ଦିବସରେ ପିଏମ୍ କେଉଁ ରଙ୍ଗର କୁରତା ପିନ୍ଧିବେ,ମୁଣ୍ଡରେ ପଗଡି ହେବ କି ନାହିଁ,ସଦାବେଳେ ଫିଟଫାଟ୍ ଦେଖାଯାଉଥିବା ମୋଦି କ’ଣ ଖାଆନ୍ତି… ଆଦି ଜାଣିବାକୁ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଜାତ ହୋଇଥାଏ । ନିଜକୁ ସବୁବେଳେ ଆକ୍ଟିଭ ରଖିବା ପାଇଁ ମୋଦି ପ୍ରତିଦିନ ଯୋଗ ସହ ବ୍ୟାୟାମ କରିଥାନ୍ତି । କମ୍ ବୟସରୁ ହିଁ ପ୍ରକୃତିର ଦାସ ପାଲଟିଥିବା ମୋଦି ପ୍ରକୃତିକୁ ଖୁବ୍ ଭଲ ପାଆନ୍ତି । ତାଙ୍କ ପାଖରେ ଏତେ ସମୟ ନଥିଲା ଯେ ସେ କୌଣସି ସିନେମା ଦେଖିପାରିବେ । କିନ୍ତୁ ଯେତେବେଳେ ବି ଖାଲି ସମୟ ମିଳିଲା ସେ ସିନେମା ଦେଖିବାକୁ ପସନ୍ଦ କରନ୍ତି ଏବଂ ସିନେମାରେ ଥିବା ଭଲ ଦିଗକୁ ଦେଖିଥାନ୍ତି ।