କନକ ବ୍ୟୁରୋ: ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଗତକାଲି ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ ।
ସେମାନେ ଏହି ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ମଲର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖିଥିବା ମଧ୍ୟ କହିଥିଲେ ସାମ୍ବାଦିକା । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ଏହି ଘଟଣା ପ୍ରତିବାଦରେ ମଲ ଆଗରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଆଜି ସକାଳୁ ଧାରଣାରେ ସାମିଲ ହୋଇଛନ୍ତି ।