କୋଭିଡରେ ପ୍ରାଣ ହରାଇଲେ ସାମ୍ବାଦିକ ସତ୍ୟଜିତ ମହାପାତ୍ର । ଟୁଇଟ୍ କରି ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

511

କନକ ବ୍ୟୁରୋ: କୋଭିଡରେ ପ୍ରାଣ ହରାଇଛନ୍ତି ରାଜ୍ୟର ବରିଷ୍ଠ ସାମ୍ବାଦିକ ସତ୍ୟଜିତ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଓଡିଶା ସାମ୍ବାଦିକତା ଜଗତ ପ୍ରତି ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

ଟୁଇଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି, ଯୁବ ସାମ୍ବାଦିକ ସତ୍ୟଜିତ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ତେବେ ସତ୍ୟଜିତ କରୋନାର ଦୁଇଟି ଯାକ ଟିକା ନେଇଥିଲେ । କିନ୍ତୁ ମାସେ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସତ୍ୟଜିତଙ୍କର ଫୁସଫୁସ କରୋନା ଦ୍ୱାରା ଅଧିକ ସଂକ୍ରମିତ ହୋଇଯାଇଥିଲା । ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ସତ୍ୟଜିତଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ସେ କିନ୍ତୁ ଏବେ ସୁସ୍ଥ ରହିଥିବା ସୂଚନା ରହିଛି । ସତ୍ୟଜିତଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସତ୍ୟଜିତ ରାଜ୍ୟର ବିଭିନ୍ନ ଟିଭି ଚ୍ୟାନେଲ ଏବଂ ରେଡିଓରେ ଦୀର୍ଘ ଦିନ ଧରି କାମ କରିଥିଲେ । ଏବେ ସେ ଏକ ଇଂରାଜୀ ଖବର କାଗଜ ସହ ଜଡିତ ଥିଲେ ।