ନୀଳଗିରିରେ ପୋଲିସର ବର୍ବରତା । ସବୁଠି ରାସ୍ତାକୁ ଓହ୍ଲାଇଲେ ସାମ୍ବାଦିକ । ସେପଟେ ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଲା ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ

114

କନକ ବ୍ୟୁରୋ: ନୀଳଗିରିରେ ପୋଲିସର ବର୍ବରତା ବିରୋଧରେ ରାଜ୍ୟବ୍ୟାପି ପ୍ରତିବାଦ ହୋଇଛି । ଉପକୂଳରୁ ଉପାନ୍ତ, ପୂର୍ବରୁ ପଶ୍ଚିମ ସବୁଠି ରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ । ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଭୁବନେଶ୍ୱର , ପୁରୀ, ଫୁଲବାଣୀ, ରାୟଗଡା, ଗଞ୍ଜାମ, ଓ ମାଲାକାନଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବେଡି ପକାଇବାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାପାଳ ଓ ଏସପିଙ୍କ ଭେଟି ସାମ୍ବାଦିକମାନେ ଆଇଆଇସିଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଭେଟିଛି ଉକ୍ରଳ ସାମ୍ବାଦିକ ସଂଘ । ଆଇଆଇସିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କ ଆଗରେ ଦାବି କରିଛି ସଂଘ । ଘଟଣାରେ ତୁରନ୍ତ ପଦକ୍ଷେପ ନନେଲେ ରାଜ୍ୟବ୍ୟାପୀ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

  • ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ଉଦବେଗ
  • ଗୃହ ମନ୍ତ୍ରାଳୟକୁ ଲେଖିଲା ଚିଠି

ନୀଳଗିରିରେ ସାମ୍ବାଦିକଙ୍କ ଗୋଡରେ ପୁଲିସ ବେଡ଼ି ପକାଇବା ମାମଲା ଏବେ ଦିଲ୍ଲୀରେ ପହଁଚି ଯାଇଛି । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣାକୁ ନେଇ ଗଭୀର ଉଦବେଗ୍ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡା ନିନ୍ଦା କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛି । ସାମ୍ବାଦିକଙ୍କୁ ନ୍ୟାୟ ଦେବା ସହ ଜୁଲମ୍ କରୁଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ।

  • ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ
  • ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ନିଜ ଆଡୁ ହସ୍ତକ୍ଷେପ କରି, ରାଜ୍ୟ ମାନବାଧିକାର କମିଶନ କହିଛନ୍ତି ପୂର୍ବାଞ୍ଚଳ ଆଇଜି ସଂପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ରିପୋର୍ଟ ଦିଅନ୍ତୁ । । ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହି ଅବଧି ଭିତରେ ବାଲେଶ୍ୱର ସିଡିଏମ ଓ ବିଏଚ୍ଓ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ତେବେ ସବୁ ଆଡୁ ଚାପ ପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ପୋଲିସର ଏଭଳି କାମକୁ ସେ ଦୃଢ଼ ନିନ୍ଦା କରିଛନ୍ତି । ଏଭଳି ସ୍ପର୍ଶକାତର ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏପଟେ ପୋଲିସ ଆକ୍ରୋଶର ଶିକାର ହୋଇଥିବା ସାମ୍ବାଦିକ ଲୋକନାଥ ଦଳେଇଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ତେବେ ବିଡମ୍ବନାର ବିଷୟ ହେଉଛି ସାରାରାଜ୍ୟରେ ଏହି ଘଟଣା ଚହଳ ସୃଷ୍ଟି କରିଥିଲେ ବି ସେଠାରେ ନିୟୋଜିତ ଥିବା ପୁଲିସର ବ୍ୟବହାରରେ କୌଣସି ପରିବର୍ତନ ଆସିନାହିଁ । ଯାହାକୁ ନେଇ ସେ ମାନସିକ ଚାପରେ ରହିବା ସହ ପରିବାର ଲୋକ ଭୟଭୀତ ଥିବା ଅଭିଯୋଗ କରିଛନ୍ତି ।