କରୋନା ସହ ଲଢି ହାରିଗଲେ କରୋନା ଯୋଦ୍ଧା: କୋଭିଡ୍ ଯୋଗୁଁ ରାଜ୍ୟରେ ସାମ୍ବାଦିକଙ୍କ ମୃତ୍ୟୁ ନେଇ ଆସିଲା ଖବର; ଦୈନିକ ଖବର କାଗଜ ସମାଜର ହିଞ୍ଜିଳିି ପ୍ରତିନିଧିଙ୍କ କୋଭିଡ ଯୋଗୁଁ ମୃତ୍ୟୁ ସୂଚନା

ସରକାରୀ ଭାବେ ଏ ସମ୍ପର୍କରେ ହୋଇନି ବିଧିବଦ୍ଧ ଘୋଷଣା

688

କନକ ବ୍ୟୁରୋ: କରୋନା ସହ ଲଢି ହାରିଗଲେ କରୋନା ଯୋଦ୍ଧା । ଗଞ୍ଜାମ ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇଥିବା ଦୈନିକ ଖବର କାଗଜ ସମାଜର ହିଞ୍ଜିଳିି ପ୍ରତିନିଧି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଶନିବାର ତାଙ୍କର ସେଠାରେ ମୃତ୍ୟୁ ହୋଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ସରକାରୀ ଭାବେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇନଥିଲେ ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ କୋଭିଡଜନିତ ମୃତ୍ୟୁ ତାଲିକାରେ ତାଙ୍କ ନାମ ଉଲେଖ ରହିଥିବା ସମାଜ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ରାଜ୍ୟର ପ୍ରଥମ ସାମ୍ବାଦିକ ଭାବେ ପ୍ରିୟଦର୍ଶୀ କରୋନାରେ ପ୍ରାଣ ହରାଇଛନ୍ତି ।

କରୋନା ସଂକ୍ରମଣ ଯେତିକି ବଢି ବଢି ଚାଲିଛି, ଚିନ୍ତା ସେତିକି ଘାରୁଛି । ରାଜ୍ୟରେ ଯେତିକି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରୁ । ଏହାକୁ ଦୃଷ୍ଟିରେ ରଖି ଏବେ ଗଞ୍ଜାମ ଜିଲ୍ଲା ଉପରେ ଲଗାମ ଲାଗିଛି । ଅନ୍ୟ କୌଣସି ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ଗାଡି ପ୍ରବେଶ ଉପରେ କଟକଣା ଲାଗିଛି । ସେହିପରି ଜଗତସିଂହପୁର, ମାଲକାନଗିରି, ଅନୁଗୁଳ, ପୁରୀ ଏବଂ ଅନ୍ୟ କେତେକ ଜିଲ୍ଲା ସେମାନଙ୍କ ସୀମାକୁ ସିଲ୍ କରି କଟକଣା ଲଗାଇଛନ୍ତି ଜିଲ୍ଲା ପ୍ରଶାସନ ।