କନକ ବ୍ୟୁରୋ : ମଧୁମିତା ପରିଡ଼ା। ୱେବ ଚ୍ୟାନେଲ ସାମ୍ୱାଦିକା। ୫ ବର୍ଷ ତଳେ ବାୟୁ ସେନାର ଯବାନ ଶ୍ରୀଧର ଜେନାକୁ ଭଲ ପାଇ ବସିଲେ। ଯାହାଙ୍କୁ ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ୪ ମାସ ତଳେ ବୈଦିକ ରୀତିରେ ବିବାହ କରିଥଲେ। ସେ ପାଲଟିଥିଲା ସ୍ୱାମୀ ନାଁରେ ସଇତାନ। ଯେତେବେଳେ ଶ୍ରୀଧରର କାରନାମା ବାବଦରେ ମଧୁମିତା ଜାଣିବାକୁ ପାଇଥିଲେ, ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ପୂର୍ବରୁ ବିବାହିତ ଥିଲା ଶ୍ରୀଧର। ଏପରିକି ତା’ର ସନ୍ତାନ ମଧ୍ୟ ଥିଲେ। ଖାଲି ସେତିକି ନୁହେଁ ବିବାହ ପରେ ବି ଏକାଧିକ ଯୁବତୀଙ୍କ ସହ ପରକିୟା ପ୍ରୀତିରେ ଲିପ୍ତ ଥିବା ଜଣାପଡିଛି।

ସତ ଜାଣିବା ପରେ ଦୁଃଖର ପାହାଡ ଉପରେ ଛିଡା ହୋଇଥିବା ମଧୁମିତା ଅସହାୟ ହୋଇ ପଡିଥିଲେ। ନ୍ୟାୟ ପାଇଁ ପରିବାର ସହ ସୋମବାର ଧଉଳି ଥାନାରେ ପହଂଚିଥିଲେ। ଏ ହେଉଛି ସେଦିନ ଫଟୋ। ଅଭିଯୋଗ ପରେ ବି ପୁଲିସ ଘଟଣାକୁ ଗୁରୁତ୍ୱର ସହ ନନେଇ ଅତି ହାଲୁକା ଭାବରେ ଗ୍ରହଣ କରିଥଲା । ଥାନାରୁ ନ୍ୟାୟ ବଦଳରେ, ଆପୋଷ ବୁଝାମଣାର ରାସ୍ତା ଦେଖାଇ ଦେଇଥିଲା ପୁଲିସ।

ସେପଟେ ହତ୍ୟାକାଣ୍ଡ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୁଲିସ। ତଦନ୍ତ ଭେଳେ ଶ୍ରୀଧର ୫ ଜଣ ମହିଳା ଓ ଯୁବତୀଙ୍କ ସହ ସଂପର୍କରେ ଥିବା ପୁଲିସ ଜାଣିବାକୁ ପାଇଛି

ସ୍ବାମୀ ଧୋକା ଦେବା ପରେ ଏହାକୁ ସହି ପାରିନଥିଲା ମଧୁମିତା। ମନକଥା ଶୁଣିବାକୁ କେହି ନଥିବାରୁ ଚାରିପଟୁ ନିରାଶ ହୋଇ ମଙ୍ଗଳବାର ସୋସିଆଲ ମିଡିଆରେ ନିଜର ଦୁଃଖ କହି ସେ ଜୀବନ ହାରିଦେଇଥିଲେ। ମଧୁ ଏକା ନୁହଁନ୍ତି, ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି ଅନେକ ଝିଅ । ଏବେ ବି ସମାଜରେ ବିବାହ ବିଚ୍ଛେଦକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ବିବାହ ତ ଶୀଘ୍ର ହୋଇଯାଉଛି, କିନ୍ତୁ ବିଚ୍ଛେଦ ପାଇଁ ଲାଗି ଯାଉଛି ବର୍ଷ ବର୍ଷ। ତା’ ସହ ସାମାଜିକ ତାଡ଼ନା। ଯାହାର ପରିଣାମ ଭୋଗୁଛନ୍ତି ମଧୁମିତା ଭଳି ଝିଅ।