କନକ ବ୍ୟୁରୋ : ନୀଳଗିରିର କନକ ନ୍ୟୁଜ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇ ଆଇସିୟୁରେ ଭର୍ତ୍ତି । ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଲୋକନାଥ । ଡାଏବେଟିସ ଓ ବ୍ଲଡ ପ୍ରେସର ବଢି ଯିବା କାରଣରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଏହାଛଡା ଫୁସଫୁସ ସଂକ୍ରମଣ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ତେଣୁ ଆଗାମୀ ୩ ଦିନ ଆଇସିୟୁରେ ରଖି ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏବେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଲୋକନାଥ । ସାମ୍ବାଦିକ ଲୋକନାଥଙ୍କୁ ନୀଳଗିରି ଆଇଆଇସି ଥାନାରେ ଧକ୍କା ମାରିଥିଲେ । ଆଉ ସେହିଠାରେ ଲୋକନାଥ ତଳେ ପଡି ଯାଇଥିଲେ । ଫଳରେ ତାଙ୍କର ଗୋଡ ଓ ଅଣ୍ଟାରେ ଆଘାତ ଲାଗିଥିଲା ।

Advertisment

ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି, ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଗିରଫ କରି ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କ ଗୋଡରେ ବେଡି ପକାଇବା ଦୁଭାଗ୍ୟଜନକ ଓ ବେଆଇନ । ଏହାଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ହୋଇଛି । ଏହି ଘଟଣାରେ ବାଲେଶ୍ୱର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜଣେ ଡିଏସପି ପାହ୍ୟାର ପୋଲିସ ଅଫିସର ତଦନ୍ତ କରିବେ । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଗଲା ଓ ତାଙ୍କ ଗୋଡରେ ବେଡି ପକାଗଲା ତାହାର ପୁଙ୍ଖାନୁଫୁଙ୍ଖ ତଦନ୍ତ ହେବ । ଏହି ଘଟଣାରେ ଯେଉଁ ଅଧିକାରୀଙ୍କ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ଭୂମିକା ଥିବ ତାଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାପୂର୍ବରୁ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ସସପେଣ୍ଡ ହୋଇଛନ୍ତି ହାବିଲଦାର । ପୋଲିସ୍ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି ସୁନୀଲ ବଂଶଲ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ଦୌପଦୀ ଦାସ । ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ହାବିଲଦାରଙ୍କ ବିରୋଧରେ । ଯାହାକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସଂଘର ପ୍ରଶ୍ନ, ଆଇଆଇସିଙ୍କ ବିରୋଧରେ କାହିଁକି ନିଆଯିବନି କାର୍ଯ୍ୟାନୁଷ୍ଠାନ? ତଳିଆ ଅଫିସରଙ୍କୁ ସସପେଣ୍ଡ କରି ବଡ ବଡିଆ ଅଫିସରଙ୍କୁ କାହିଁକି ଘଣ୍ଟ ଘୋଡାଉଛି ପୋଲିସ ବିଭାଗ? ଆଇଆଇସି ଦ୍ରୌପଦୀ ଦାସଙ୍କ ମୁଣ୍ଡ ଉପରେ କାହାର ଆର୍ଶୀବାଦ ରହିଛି ଯେ, ପୋଲିସ ବିଭାଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି ।