କଟକ ଜିଲ୍ଲାରେ କରୋନା ଟିକା ନେଲେ ୧୪୧ ସାମ୍ବାଦିକ । ବୀମା ନଥିବା ସାମ୍ବାଦିକଙ୍କୁ ବି ଟିକା ଦେବାକୁ ଉଠିଲା ଦାବି ।

112

କନକ ବ୍ୟୁରୋ :  କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ୧୪୧ କର୍ମଜୀବୀ ସାମ୍ବାଦିକଙ୍କୁ କୋଭିଡ ଟିକା ଦିଆଯାଇଛି। ଜିଲ୍ଲାରେ ମୋଟ ୪ଟି ଟିକାକରଣ କେନ୍ଦ୍ରରେ ଏହି ଟିକା ଦିଆଯାଇଛି। କଟକ ମହାନଗର ଅଞ୍ଚଳର ଚାଉଳିଆଗଞ୍ଜ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧୪, ଆଠଗଡ଼ରେ ୧୦, ବାଙ୍କୀରେ ୭, ସାଲେପୁରରେ ୧୦ ଜଣ ସାମ୍ବାଦିକ ଟିକା ନେଇଛନ୍ତି। ସକାଳ ୯ଟାରୁ ଦିନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଟିକାକରଣ କରାଯାଇଛି।

ସିଏମସି କମିସନର ଅନନ୍ୟା ଦାସ  ଟିକାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ଡାକ୍ତର ଉମେଶ ରାୟ, ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ପ୍ରଦୀପ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ଷଢଙ୍ଗୀ ଉପସ୍ଥିତ ଥିଲେ। ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ କଟକ ଜିଲ୍ଲାର ମୋଟ ୪୦୨ ସାମ୍ବାଦିକଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସହରାଞ୍ଚଳରୁ ଆହୁରି ୯୨ ଜଣ ସାମ୍ବାଦିକ  ଟିକା ନେଇ ନାହାନ୍ତି। ସେହିଭଳି ଗ୍ରାମାଞ୍ଚଳରେ ଆହୁରି ୧୬୯ ସାମ୍ବାଦିକ ଆଜି ଟିକା ନେଇ ପାରି ନାହାନ୍ତି। ମୋଟ ଉପରେ ୨୬୧ ଜଣ ସାମ୍ବାଦିକ ଟିକା ନେଇନାହାନ୍ତି। ଅନ୍ୟପଟେ ସକାଳ ୯ଟାରେ ଟିକାକରଣ ପାଇଁ ଜିଲ୍ଲା ପ୍ରଶାସନ ସାମ୍ବାଦିକଙ୍କୁ ସମୟ ଦେଇଥିବା ବେଳେ ଟିକାକରଣ ଫର୍ମରେ ନିଜ ସଂସ୍ଥାର ଷ୍ଟାମ୍ପ ମାରିବାକୁ କୁହାଯାଇଥିଲା।

ଏହି ଘଟଣାକୁ ନେଇ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଡିଆଇପିଆରଓ ଶେଷରେ ନିଜେ ସେଥିରେ ଦସ୍ତଖତ କରିଥିଲେ। ଟିକା ଦେଲା ବେଳକୁ ୧୦ଟା ଟପିଯାଇଥିଲା। ସ୍ବାସ୍ଥ୍ୟ ବୀମା କାର୍ଡ ପାଇ ନଥିବା ଅନେକ ସାମ୍ବାଦିକ ଚାଉଳିଆଗଞ୍ଜ ସ୍ବାସ୍ଥ୍ୟ କେନ୍ଦ୍ରରୁ ଫେରି ଯିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କୁ ମଧ୍ୟ ଟିକାକରଣ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ତେବେ ଆସନ୍ତା ସପ୍ତାହରେ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କ୍ୟାମ୍ପ ଯୋଜନା କରିଥିବା ସୂଚନା ମିଳିଛି। ଚାଉଳିଆଗଂଜ ଟିକାକରଣ କେନ୍ଦ୍ରରେ ପୂର୍ବତନ କର୍ପୋରେଟର ତଥା ଯୁବ ସମାଜସେବୀ ଚିରଂଜୟ ସାହୁ ଠିକ ଢଙ୍ଗରେ ଟିକାଦାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।