କନକ ବ୍ୟୁରୋ: ଟ୍ରେନରେ କଟି ଜୀବନ ହାରିଲେ ୱେବ୍ ସାମ୍ବାଦିକା । ତାଙ୍କ ନାଁ ମଧୁମିତା ପରିଡା ବୋଲି ଜଣାପଡିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା । ଭୁବନେଶ୍ୱର ବାପୁଜୀନଗରରୁ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମଧୁମିତା କିଛି ଦିନ ହେବ ବିବାହ କରିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ଏହି ବିବାହ ହୋଇଥିଲା । ଆତ୍ମହତ୍ୟା ପୂର୍ବରୁ ମଧୁମିତା ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସେ ଭିଡିଓରେ କହିଛନ୍ତି । ଘଟଣାସ୍ଥଳରେ ମଧୁମିତାଙ୍କ ପରିବାର ଓ ମଧୁମିତାଙ୍କ ସ୍ୱାମୀ ପହଞ୍ଚିଥିଲେ ।

ମଧୁ଼ୁମିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ମଧୁମିତାଙ୍କ ସ୍ୱାମୀ ପୂର୍ବରୁ ବ୍ରହ୍ମପୁରର ଜଣେ ଝିଅଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ଦୁହିଁଙ୍କର ଛାଡପତ୍ର ହୋଇଯାଇଥିଲା । ବିବାହ ଯାଏଁ ଏ ବାବଦରେ ମଧୁମିତା ଜାଣିନଥିବାବେଳେ ବିବାହ ପରେ ଛାଡପତ୍ର ବିଷୟରେ ଜାଣିବାକୁ ପାଇଥିଲେ । ମଧୁମିତାଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।