ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ…

200

କନକ ବ୍ୟୁରୋ: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଖବର । ଗିରଫ ହେଲା ମୃଖ୍ୟ ଅଭିଯୁକ୍ତ । ସାମ୍ବାଦିକଙ୍କୁ ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ମାଡ ଘଟଣାରେ ସମ୍ପୃକ୍ତ କିଛି ଲୋକଙ୍କୁ ଚିହ୍ନଟ ବି କରାଯାଇଛି । ଗିରଫ ନେଇ ସୂଚନା ଦେଲେ ଯାଜପୁର ଏସପି । ତେବେ ଘଟଣା ନେଇ ବିଞ୍ଝାରପୁର ଥାନାରେ ଏସପିଙ୍କ ସହ ଆଲୋଚନା କଲେ ପୋଲିସ ଆଇଜି । ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଆଇଜିଙ୍କ ନିର୍ଦ୍ଦେଶ ।

ଆଜି ସକାଳେ ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା । ୪୦ରୁ ୫୦ ଦୁର୍ବୃତ୍ତ ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ତିନି ଜଣ ସାମ୍ବାଦିକ ଆହତ ହୋଇ ପ୍ରଥମେ ବିଞ୍ଝାରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

ଆଜି ସକାଳେ ବୁଥ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ । ସେହି ପ୍ରମାଣ ପୁଲିସ ହାତରେ ଲାଗିଲେ କାର୍ଯ୍ୟାନୁଷ୍ଠାନ ଭୟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ । ତେବେ ସାମ୍ବାଦିକଙ୍କୁ ଆକ୍ରମଣ ପରେ ଗାଁକୁ ଯାଇ ପୋଲିସ ଫ୍ଲାଗମାର୍ଚ୍ଚ କରିଥିଲା । ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ କିଛି ଲୋକଙ୍କୁ ଉଠାଇଆଣିଥିଲା ପୋଲିସ । ପାଖାପାଖି ଶହେରୁ ଅଧିକ ପୋଲିସ ଗାଁରେ ପହଞ୍ଚି କଡ଼ା ପହରା ଦେବା ସହ ସର୍ଚ୍ଚ ଅପରେସନ୍ କରିଥିଲେ । ଗାଁର ୨୫ ଜଣଙ୍କୁ ଥାନାକୁ ଉଠାଇ ପୁଲିସ ପଚରା ଉଚରା କରିବା ପରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ ।