କନକ ବ୍ୟୁରୋ : ପରୀ ମାମଲାରେ ବିଜେପିର ପଦଯାତ୍ରା ବେଳେ ନୟାଗଡ ଜିଲ୍ଲା ଯଦୁପୁର ଠାରେ ଜଣେ ସାମ୍ବାଦିକଙ୍କ ସହ ତାଙ୍କ ଟିମ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ୍ କରିଛି । ଗତକାଲି ପରୀକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଯଦୁପୁର ଠାରେ ରାଲି ଚାଲିଥିବା ବେଳେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମ ଟିମ୍ ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ଏଥିରେ ସାମ୍ବାଦିକ ଜଣକ ଆହତ ହୋଇଥିବା ବେଳେ ତାଙ୍କ କ୍ୟାମେରା ଭାଙ୍ଗିଯାଇଥିଲା । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସାମ୍ବାଦିକଙ୍କୁ ନ୍ୟାୟ ଦାବି କରି ରାସ୍ତାରୋକ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆଜି ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ୍ କରି ତଦନ୍ତ ଚଳାଇଛି । କହିରଖୁ କି ଏହି ଆକ୍ରମଣରେ ବି ଜଣେ ୱେବ୍ ମିଡିଆର ସାମ୍ବାଦିକ ଆହତ ହୋଇଛନ୍ତି । ଖବର ପ୍ରସାରଣରେ ଅସନ୍ତୁଷ୍ଟ ବ୍ୟକ୍ତ କରି କିଛି ଲୋକ ଏହି ଆକ୍ରମଣ କରିଥିବା ଜଣାପଡିଛି । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ପୋଲିସ ସେଠାରେ ପହଂଚି ପରିସ୍ଥିତିକୁ ସମ୍ଭାଳି ନେଇଥିଲା ।
ଏନେଇ ସାମ୍ବାଦିକ ଜଣକ ପଦଯାତ୍ରା କରୁଥିବା ବିଜେପି କର୍ମୀମାନଙ୍କ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ବିଜେପିର ବରିଷ୍ଠ ନେତା ମାନେ ଉପସ୍ଥିତ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ତେଣୁ ବିଜେପି ଜାଣି ଶୂୁଣି ବା ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଅକ୍ରମଣ କରାଇଛି ।