ଜଗତସିଂହପୁରରେ ଅଭାବନୀୟ ଘଟଣା: ଛାତ୍ରୀଙ୍କୁ ଧମକ ଦେଇ ୨ ସାମ୍ବାଦିକ ଗିରଫ; ୧୦ହଜାର ଟଙ୍କା ଦାବି କରି ପୁରୁଣା ମାମଲା ଉଠାଇବାକୁ ଦେଇଥିଲେ ଧମକ

639

କନକ ବ୍ୟୁରୋ: ଛାତ୍ରୀଙ୍କୁ ଧମକ ଦେଇ ବନ୍ଧା ହେଲେ ଦୁଇ ସାମ୍ବାଦିକ । ଏହି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରେ । ବାଲିକୁଦା ଅଂଚଳର ଜଣେ ଛାତ୍ରୀ ଏବଂ ତାଙ୍କ ପରିବାରକୁ ଧମକ ଦେବା ଅଭିଯୋଗରେ ଏହି ୨ ସାମ୍ବାଦିକଙ୍କୁ ଗିରଫ କରିଛି ବାଲିକୁଦା ପୋଲିସ । ଗିରଫ ଦୁଇ ସାମ୍ବାଦିକ ହେଲେ ବାଲିକୁଦାର ବିପିନ ସେଠୀ ଏବଂ ପ୍ରଦୀପ୍ତ ମୁଦୁଲି । ପୁରା ଘଟଣା କିଛି ଏହିପରି । ଏହି ଛାତ୍ରୀଙ୍କୁ ବାଲିକୁଦା ତହସିଲ ଛକରେ ଥିବା ଏକ କମ୍ପ୍ୟୁଟର ସେଂଟରର ଶିକ୍ଷକ ଅଶ୍ଲିଳ ଫଟୋ ଓ ଭିଡିଓ ପଠାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ।

ଛାତ୍ରୀ ଜଣଙ୍କ ବାଲିକୁଦା ଥାନାରେ ଏତଲା ଦେବା ପରେ ପୋଲିସ ଶିକ୍ଷକ ସାଗର ମହାପାତ୍ରଙ୍କୁ ଗିରଫ କରିଥିଲା । ଏହାପରେ ଦୁଇ ସାମ୍ବାଦିକ ଛାତ୍ରୀଙ୍କ ଘରକୁ ଯାଇ ୧୦ ହଜାର ଟଙ୍କା ଦାବି କରି ମାମଲା ଉଠାଇ ଦେବାକୁ କହିଥିଲେ । ଏପରିକି ତାଙ୍କ କଥା ନମାନିବାରୁ ଛାତ୍ରୀ ଏବଂ ତାଙ୍କ ପରିବାରକୁ ଧମକ ମଧ୍ୟ ଦେଇଥିଲେ । ତେବେ ଛାତ୍ରୀ ଜଣଙ୍କ ଦୁଇ ସାମ୍ବାଦିକଙ୍କ ନାଁରେ ବାଲିକୁଦା ଥାନାରେ ଏତଲା ଦେବା ପରେ ପୋଲିସ ୨ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।