କରୋନାରେ ଆଖିବୁଜିଲେ ମହିଳା ସାମ୍ବାଦିକା ସବନମ ସିରିନ । ମହାମାରୀ ଲଢେଇରେ ହାରିଗଲେ ସବନମ… ଜଣେ ପରେ ଜଣେ ସାମ୍ବାଦିକଙ୍କୁ ନେଇଯାଉଛି ନିଷ୍ଠୁର କରୋନା ।

660

କନକ ବ୍ୟୁରୋ: କରୋନାରେ ଶିକାର ହେଲେ ପୁଣି ଜଣେ ସାମ୍ବାଦିକ । ଆଉ ନାହାନ୍ତି ଜଣାଶୁଣା ସାମ୍ବାଦିକା ସବନମ ସିରିନ । କରୋନାରେ ଆଖିବୁଜିଲେ ସବନମ । ଗତକିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସବନମଙ୍କ ସ୍ୱାମୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।

ତେବେ ସୋଆ ରେଡିଓରେ କାର୍ଯ୍ୟରତ ଥିଲେ ସବନମ ସିରିନ । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିବା ବେଳେ ସବନମ ମାଇକ୍ରୋ ବାଇଓଲୋଜିରେ ଏମଏସସି କରି ସାମ୍ବାଦିକତା ପଢିଥିଲେ । ଏବଂ ପରେ କନକ ନ୍ୟୁଜ, ଏସଟିଭି, ପର୍ଯ୍ୟବେକ୍ଷକ ଓଡିଆ ଦୈନିକ ଓ ନ୍ୟୁଜ ସେଭେନରେ କାମ କରିଥିଲେ । ଭୁବନେଶ୍ୱର ଡିଡି ଓଡିଆ ନ୍ୟୁଜରେ ଉପସ୍ଥାପିକା ଭାବେ ମଧ୍ୟ ସେ ବେଶ ଜଣାଶୁଣା ଥିଲେ ।

ସୋଆରେ କାର୍ଯ୍ୟରତ ଥିଲା ବେଳେ ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଦୂରଦର୍ଶନର ଅନେକ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ କରିବା ସହ ଭୁବନେଶ୍ୱରର ବସ୍ତି ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ । ତାଙ୍କ ଭଳି ସମାଜ ସଂସ୍କାରକ ତଥା ଯୁବ ମହିଳା ସାମ୍ବାଦିକ ଅତି ବିରଳ । ସବନମଙ୍କର କୁନିଝିଅଟେ ଅଛି । ତେବେ କରୋନାରେ ସବନମଙ୍କ ଅକାଳ ମୃତ୍ୟୁ ପରେ ଶୋକରେ ବୁଡିଛନ୍ତି ସମସ୍ତେ ।