କିଣା ଖବରର ଗଳାବାଟ ବାହାର କଲେ ବିଜେପି ଶାସିତ ଝାଡ଼ଖଣ୍ଡ ସରକାର । ସରକାରଙ୍କ ପ୍ରଂଶସା କରି ଆର୍ଟିକିଲ ଲେଖିଲେ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର, ବିରୋଧୀ କଲେ କଡା ସମାଲୋଚନା ।

488

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ସାମ୍ବାଦିକଙ୍କ ପାଇଁ ଏକ ମନଲୋଭା ଅଫର ଆଣିଛନ୍ତି ଝାରଖଣ୍ଡ ସରକାର । ଏହି ଘୋଷଣା ଅନୁଯାୟୀ ସରକାରଙ୍କ ଯୋଜନା ସମ୍ପର୍କରେ ପ୍ରଶଂସା କରି ଆର୍ଟିକିଲ ଲେଖିଲେ ସାମ୍ବାଦିଙ୍କୁ ପୁରଷ୍କୃତ କରିବେ ସରକାର । ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଛନ୍ତି ବିରୋଧୀ ।

୩୦ ଜଣ ସାମ୍ବାଦିକଙ୍କ ରିପୋର୍ଟକୁ ମିଳିବ ପୁରସ୍କାର । ବର୍ଷ ଶେଷ ସୁଦ୍ଧା ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ଶାସିତ ଝାଡ଼ଖଣ୍ଡ କ୍ୟାବିନେଟର ଏଭଳି ନିଷ୍ପତି ବିବାଦ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସରକାରର ସୂଚନା ଓ ଲୋକସଂର୍ପକ ବିଭାଗ ଏଭଳି ଏକ ବିଜ୍ଞାପନ ଛାପିଛି । ମାତ୍ର ଦୁଇ ଦିନରେ ଏଭଳି ରିପୋର୍ଟ ଦେବାକୁ କୁହାଯାଇଛି । ଏଥିସହ ଯେଉଁ ଶ୍ରେଷ୍ଠ ୨୫ଟି ଭଲ ରିପୋର୍ଟ ବହି ଜରିଆରେ ପ୍ରକାଶ କରାଯିବ ସେମାନଙ୍କୁ ଅଧିକ ୫ ହଜାର ଟଙ୍କା ଦିଆଯିବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି ।

ରଘୁବର ଦାସ ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ । ସେ ଏ ନେଇ ପ୍ରେସକାଉନସିଲ ଅଫ୍ ଇଣ୍ଡିଆ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଟ୍ୱିଟ୍ ଯୋଗେ ଅଭିଯୋଗ କରିଛନ୍ତି । ଏହା ପେଡ୍ ନ୍ୟୁଜ୍ ବା କିଣା ସାମ୍ବାଦିକତାରେ ଯିବ କି ନାହିଁ ତାହା ବିଚାର କରିବାକୁ କହିଛନ୍ତି ।