ବିପଦରେ ଦେବଭୂମି ଉତ୍ତରାଖଣ୍ଡର ଯୋଶୀମଠ। ଦବିଗଲାଣି ସହରର ୬ଶହ ଘର, ରାତାରାତି ସ୍ଥାନାନ୍ତର ହେଲେଣି ୭୦ ପରିବାର ।

305

କନକ ବ୍ୟୁରୋ: ହିିମାଳୟର ଗେଟୱେ ତଥା ବଦ୍ରିନାଥଙ୍କ ଦ୍ୱାର ଦେଶ ଉତରାଖଣ୍ଡ ଯୋଶୀମଠ୍ । ଏବେ ଦେବଭୂମି ଉତ୍ତରାଖଣ୍ଡର ଅନ୍ୟତମ ପବିତ୍ର ସହର ଉପରକୁ ମାଡି ଆସିଛି ବଡ ବିପଦ । ହଠାତ ସହର ଦବିବାରେ ଲାଗିଛି । ଘରଦ୍ୱାର ଭାଙ୍ଗୁଛି । ରାସ୍ତାଘାଟ ଫାଟୁଛି । କାନ୍ଥରେ ବଡ ବଡ ଫାଟ୍ । ଘର ଭିତରୁ ବାହାରୁଛି ପାଣି । ଭୟରେ ଲୋକମାନେ ଘର ଛାଡୁଛନ୍ତି । ୬୮ ପରିବାର ୬୦୬ ଘରକୁ ଖାଲି କରାଗଲାଣି । ସତେ ଲାଗୁଛି ପାତାଳମୁହାଁ ହେଉଛି ଯୋଶୀମଠ । ଆତଙ୍କିତ ଅବସ୍ଥାରେ ଥିବା ସ୍ଥନୀୟ ବାସିନ୍ଦା ପ୍ରଶାସନ ଉପରେ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଏହାର ସଂକେତ ମିଳିଥିଲେ ସୁଦ୍ଧା ସରକାର ଏହା ଉପରେ ଧ୍ୟାନ ଦେଇନଥିଲେ । ତେଣୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଯୋଶୀମଠବାସୀ ।

ବର୍ତମାନ ଯୋଶୀମଠର ଯେଉଁ ପରିସ୍ଥିତି ଦେଖାଦେଇଛି ଏନେଇ ୪୭ବର୍ଷ ପୂର୍ବରୁ ସର୍ତକ କରାଯାଇଥିଲା । କିଛି ବୈଜ୍ଞାନିକ ଓ ଭୂତତ୍ୱବିତ୍ ମାନେ ଏନେଇ ସତର୍କ କରିଆସୁଛନ୍ତି ।
• ପ୍ରଥମେ ଯୋଶୀମଠକୁ ବିପଦ ଥିବା ୧୯୭୬ରେ ଦର୍ଶାଯାଇଥିଲା
• ଏମ୍ ସି ମିଶ୍ର କମିଶନ ନିଜ ରିପୋର୍ଟରେ ସହରକୁ ବିପଦ ରହିଥିବା ଦର୍ଶାଇଥିଲେ
• ରିପୋର୍ଟରେ ଦର୍ଶାଇଥିଲେ ଯେ, ପ୍ରାଚୀନ ଭୂସ୍ଖଳନ କ୍ଷେତ୍ରରେ ଆସୁଛି
• ଏହି ସହର ପାହାଡ଼ରୁ ଭାଙ୍ଗିଆସିଥିବା ପଥର ଖଣ୍ଡ ଓ ମାଟି ଉପରେ ଗଢ଼ିଉଠିଛି
• ଯୋଶୀମଠ ସହର ଏକ ପୁରୁଣା ଗ୍ଲାସିୟର ବା ହିମଖଣ୍ଡ ଉପରେ ରହିଛି
• ସମ୍ପୃକ୍ତ ଜାଗାଟି ପ୍ରଥମେ ହିମଖଣ୍ଡ ଥିଲା
• କାଳକ୍ରମେ ଲକ୍ଷ ଲକ୍ଷ ଟନ୍ ଓଜନର ପଥର ଓ ମାଟି ଜମିଗଲା ।
• ଏହାପରେ ସେଠାରେ ଲୋକମାନେ ବସତି ସ୍ଥାପନ କଲେ ଓ ଧୀରେ ଧୀରେ ସହର ଗଢ଼ି ଉଠିଲା ।

ମିଶ୍ର କମିଶନ ସେତେବେଳେ ପରାମର୍ଶ ଦେଇଥିଲେ ଯେ, ଏହି ଅଂଚଳରେ କୌଣସି ପ୍ରକାରର ଖନନ କିମ୍ବା ବିସ୍ଫୋରଣ କରାନଯିବା ଉଚିତ୍ । ଏହାସହ ସହରର ୫ କିଲୋମିଟର ପରିଧି ଭିତରେ ଅତ୍ୟଧିକ ଓଜନର ନିର୍ମାଣ ସାମଗ୍ରୀ ମଧ୍ୟ ନରଖିବାକୁ କୁହାଯାଇଥିଲା । ଏବେ ସବୁଠୁ ବଡ ପ୍ରଶ୍ନ ଉଠିଛି ହିମଖଣ୍ଡ ଉପରେ ଗଢ଼ିଉଠିଥିବାରୁ ସହରର କିଭଳି ସୁରକ୍ଷା ଦିଆଯିବ ।

ସହରର ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସହରବାସୀଙ୍କୁ ନିକଟସ୍ଥ ଧର୍ମଶାଳା ଓ ହୋଟେଲରେ ରଖିବା ବ୍ୟବସ୍ଥା କରିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିିଂ ଧାମୀ କହିଛନ୍ତି ।

ସଙ୍କଟ ଭିତରେ ରହିଥିବା ଯୋଶୀମଠକୁ ନେଇ କିଛି ଦିନ ପୂର୍ବରୁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଚାଳନନ୍ଦ ସରସ୍ୱତୀଙ୍କ ବୟାନ ସାମ୍ନାକୁ ଆସିଥିଲା । ଯାହା ବର୍ତମାନ ବେଶ ଭାଇରାଲ ହେଉଛି । ଯୋଶୀମଠର ସ୍ଥିିତି ବିଗୁଡୁଥିବାବେଳେ ନୈନିତାଲ, ଊତରକାଶୀ ଓ ଚମ୍ପାବତ ଓ ଅନ୍ୟ କିଛି ସହରରେ ମଧ୍ୟ ଫାଟ ଦେଖାଯିବା ନେଇ ଆଶଙ୍କା ଦେଖାଯାଇଛି । ବୈଜ୍ଞାନିକ ଓ ଭୁତତ୍ୱବିତ ଟିମ ଘଟଣାସ୍ଥଳରେ ପହଁଚି ସ୍ଥିତିକୁ ପରଖୁଛନ୍ତି । ଗୋଟେ ପଟେ ରାଜ୍ୟ ସରକାର ସହରବାସୀଙ୍କ ସୁରକ୍ଷା ଯୋଗାଇବା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ଅନ୍ୟପଟେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି ।