କନକ ବ୍ୟୁରୋ : ଯୋଶୀମଠ ସ୍ଥିତିକୁ ନେଇ ଚିନ୍ତିତ ଗୃହମନ୍ତ୍ରାଳୟ । ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୈଠକ ଡାକିଛନ୍ତି । ତେବେ ଏହା ପୂର୍ବରୁ ଅମିତ ଶାହା ଗତକାଲି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫାନରେ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଯୋଶୀମଠ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ କେନ୍ଦ୍ର ମନ୍ତ୍ରୀ ମଧ୍ୟ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି । ଏହା ସହିତ ଯୋଶୀମଠ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନାଡଡା ମଧ୍ୟ ଧାମୀଙ୍କ ସହିତ କଥା ହୋଇଥିଲେ ।

Advertisment

ସେପଟେ, ଗତକାଲି ରାତିରେ ପୁଣି ଯୋଶୀମଠ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟମନ୍ତ୍ରୀ ଯୋଶୀମଠରେ ରାତି ବିତାଇଥିଲେ । ଯୋଶୀମଠରେ ଅସୁରକ୍ଷିତ କୋଠା ଓ ହୋଟେଲ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ସହରର ମୋଟ୍ ୭୨୩ଟି ଘର ଭାଙ୍ଗିବାକୁ ଯୋଜନା କରିଛି ପ୍ରଶାସନ । ସେପଟେ ଯୋଶୀମଠର ଉପର ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ବଦ୍ରୀନାଥରେ ବରଫପାତ ହୋଇଛି । ଏହା ଅଧିକ ଦିନ ଜାରି ରହିଲେ ଯୋଶୀମଠ ପାଇଁ ବିପଦ ସୃଷ୍ଟି ହୋଇପାରେ । ତେଣୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି କୌଣସି ଘର ଭଙ୍ଗାଯିବ ନାହିଁ । କେବଳ ଦୁଇଟି ହୋଟେଲ ଭଙ୍ଗାଯିବ । ନାଲି ଚିହ୍ନିତ ଘର ମଧ୍ୟରୁ ଲୋକଙ୍କୁ ଖାଲି କରାଯିବ ।