କନକ ବ୍ୟୁରୋ: ରାନୀ ପଣ୍ଡା । ଏହି ନାଁ ହୁଏତ କାହାକୁ ଅଜଣା ନଥିବ । ଜଲିଉଡ ଜଗତର ଜଣେ ବିବାଦୀୟ ଅଭିନେତ୍ରୀ ଭାବେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ରାନୀ । ଯାତ୍ରା ରଙ୍ଗମଂଚରେ ନିଜର ବିବାଦୀୟ ଡ୍ୟାନ୍ସ ପାଇଁ ଓଡିଶାର କୋଣ ଅନୁକୋଣରେ ଅପବାଦ ଆଉ ସମଲୋଚିତ ହୋଇଥିବା ଏହି ଆଇଟମ୍ ଗର୍ଲ ଆଜି ଅନେକ ଅସହାୟ ଆଉ ଦୁର୍ଦ୍ଦଶାରେ ଥିବା ଦୁଃଖରଙ୍କୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି । ବନ୍ୟା ବିପନ୍ନଙ୍କ ଘର ଘର ବୁଲି ସେମାନଙ୍କ ଦୁଃଖ କିଛିମାତ୍ରାରେ ଲାଘବ କରିବା ସହ ଅନେକଙ୍କ ମୁହଁରେ ହସ ଫୁଟାଇଛନ୍ତି ।

Advertisment

ସେପଟେ କରୋନା, ଏପଟେ ବନ୍ୟାର ବିଭୀଷିକା, ମଝିରେ ମଣିଷ ଦୁଃଖର ଦୋଛକିରେ ଥିବା ବେଳେ, ଆଇଟମ୍ ଗର୍ଲର ଆଖ୍ୟା ପାଇଥିବା ରାନୀ, ସାହାଯ୍ୟର ଅନ୍ୟ ନାଁ ସାଜି ଆଗେଇ ଆସିଛନ୍ତି । ଯେଉଁଠି ପ୍ରଶାସନର ପାଦ ପଡିବାରେ ସମୟ ଲାଗୁଛି, ସେଠାରେ ଆଣ୍ଠୁଏ ପାଣିରେ ଅସହାୟଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି ରାନୀ । 

କେବଳ ଏତିକି ନୁହେଁ, ବଡଠୁ ଛୋଟ ସମସ୍ତଙ୍କ ପାଇଁ ପେଟି ପେଟି ଶୁଖିଲା ଖାଦ୍ୟ ନେଇ ନିଜେ ହାତରେ ଦେଇଛନ୍ତି ରାନୀ । ଏଦୃଶ୍ୟ ହୁଏତ ଅନେକଙ୍କ ପାଇଁ ବାଃବାଃ ସାଉଁଟିବାର ବାସ୍ନା ଦେଉଥାଇପାରେ । କିନ୍ତୁ ଜଣେ ଯାତ୍ରା ପେଣ୍ଡାଲର କଳାକାର ହିଁ ଜୀବନର ରଙ୍ଗମଂଚରେ ଝଡ ଝାଞ୍ଜିର କଷ୍ଟକୁ ବେଶ ଅନୁଭବ କରିପାରୁଥିବା ବାରି ହୋଇପଡୁଛି  । ସେଥିପାଇଁ ତ ସମାଲୋଚନା ଭିତରେ ବି ମଣିଷପଣିଆର ନିଦର୍ଶନ ଦେଖାଇଛନ୍ତି ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ଆଉ କହିଛନ୍ତି, ଗରିବ ଅସହାୟଙ୍କ ଲୁହ ତାଙ୍କୁ ଟାଣିଆଣିଛି । 

କରୋନା ମହାମାରୀ ଭିତରେ ଯେତେବେଳେ ବଡ ବଡ କଳାକାର ସହାୟତା ପାଇଁ ସରକାରଙ୍କୁ ଅନୁରୋଧ କରୁଥିଲେ, ସେତେବେଳେ ଗରିବ ଅସହାୟଙ୍କୁ ଟିକିଏ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ରାନୀ ପଣ୍ଡା । ଆଉ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଥିଲେ ୫୦ ହଜାର ଟଙ୍କା । ଆଉ ଏବେ ବନ୍ୟା ବିପନ୍ନଙ୍କ ପାଖରେ ବିପଦ ବେଳର ବନ୍ଧୁ ସାଜି ପହଂଚିଛନ୍ତି ରାନୀ । ଯାତ୍ରା ରଙ୍ଗମଂଚରେ ଦିନେ ବିବାଦୀୟ ହୋଇପଡିଥିବା ରାନୀ ପଣ୍ଡା ଆଜି କୋଟି କୋଟି ଓଡିଶାବାସୀଙ୍କ ମନ ଜିଣିନେଇଛନ୍ତି । ସତରେ ମଣିଷପଣିଆର ବଡ ପରିଚୟ ଦେଇଛନ୍ତି ରାନୀ । ଆଉ ରାନୀଙ୍କ ଏହି ମହାନତା ହୁଏତ ଅନେକ ସମାଲୋଚନାକାରୀଙ୍କ ମୁଣ୍ଡ ନୁଆଁଇଦେଇଛି । ଆଉ ବିବାଦ ଭଲପାଇବାରେ ବଦଳିଯାଇଛି ।