ଡ଼େଲଟା ଭ୍ୟାରିଆଣ୍ଟ ବିରୁଦ୍ଧରେ ଗୋଟିଏ ଟିକା ପ୍ରଭାବି ହେବ ବୋଲି ଦାବି କଲା ଜନସନ୍ସ ଆଣ୍ଡ ଜନସନ୍ସ , ୮ମାସ ଯାଏଁ ରଖିବ କରୋନାଠୁ ଦୂରରେ । 

101

କନକ ବ୍ୟୁରୋ : ଡ଼େଲଟା ଭ୍ୟାରିଆଣ୍ଟକୁ ପ୍ରତିହତ କରିବାରେ ଜନସନ୍ସ ଆଣ୍ଡ  ଜନସନ୍ସ ଭ୍ୟାକ୍ସିନର ଗୋଟିଏ ଡ଼ୋଜ ପ୍ରଭାବୀ ହେବ ବୋଲି କମ୍ପାନୀ ଦାବି କରିଛି । ଏଥିସହିତ ରୋଗପ୍ରତିରୋଧକ କ୍ଷମତା ମଧ୍ୟ ଅତି କମ୍ରେ ୮ମାସ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ କହିଛି । ଏଥିସହିତ କୋଭିଡ଼ର ଅନ୍ୟ ଭ୍ୟାରିଆଂଟକୁ ମଧ୍ୟ ଏହି ଟିକା ପ୍ରତିହତ କରିପାରିବ ବୋଲି ଦାବି କରିଛି ।

୮ଜଣ ଲୋକଙ୍କ ରକ୍ତ ନମୂନା ପରୀକ୍ଷା ପରେ ଏହି ତଥ୍ୟ ପ୍ରକାଶ କରିଛି କମ୍ପାନୀ । ଏପ୍ରିଲ ମାସରୁ ଆମେରିକାରେ ଦିଆଯାଉଛି ଏହି ଟିକା । ପ୍ରଥମ ଡୋଜର ୨୯ ଦିନ ମଧ୍ୟରେ ଡ଼େଲଟା ଭ୍ୟାରିଆଣ୍ଟ ଦୁର୍ବଳ ହେଉଥିବା କହିଛି କମ୍ପାନୀ ।

ଏସବୁ ଭିତରେ ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ନେଇଛନ୍ତି ଦୁଇଟି ଭିନ୍ନ କରୋନା ଟିକା । ପ୍ରଥମ ଡ଼ୋଜରେ ଆଷ୍ଟ୍ରାଜେନିକା ଟିକା ନେଇଥିବା ବେଳେ ଗତ ସପ୍ତାହରେ ତାଙ୍କର ଆଂଟିବଡ଼ି କମ୍ ଥିବା ଜଣାପଡ଼ିଥିଲା । ତେଣୁ ଏକ ଭିନ୍ନ ଟିକା ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଗତ ସୋମବାର ଦ୍ରାଘି ଦ୍ୱିତୀୟ ଡ଼ୋଜ ଭାବେ ଫାଇଜର ଟିକା ନେଇଛନ୍ତି ।

ସେହିପରି ଜର୍ମାନ ଚାନସେଲର ଆଂଜେଲା ମାର୍କେଲ ମଧ୍ୟ ପ୍ରଥମ ଡ଼ୋଜ ଭାବେ ସ୍ୱିସ୍ କମ୍ପାନୀର ଆଷ୍ଟ୍ରାଜେନିକା ଟିକା ନେଇଥିଲେ । କିନ୍ତୁ ଦ୍ୱିତୀୟ ଡ଼ୋଜ ଭାବେ ମର୍ଡ଼ନା ଟିକା ନେଇଛନ୍ତି । ଏହି ଦୁଇଜଣ ରାଷ୍ଟ୍ରମୁଖ୍ୟ ଭିନ୍ନ ଟିକା ନେଇ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ଟିକାକରଣ ଏକ ମାତ୍ର ଅସ୍ତ୍ର ଭାବେ କାମ କରୁଛି ।