କନକ ବ୍ୟୁରୋ : ଦେଶରେ କରୋନା ବିରୋଧୀ ଲଢେଇରେ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରାଯାଉଥିବା ଟିକା ଏବେ ଦୁଇଟି ଖୋରାକରେ ଲୋକଙ୍କୁ ଦିଆଯାଉଛି । ହେଲେ ଜନସନ୍ ଆଣ୍ଡ ଜନସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ସିଙ୍ଗଲ ଡୋଜ ଭ୍ୟାକି୍ସନ ଖୁବଶୀଘ୍ର ଭାରତୀୟଙ୍କୁ ମିଳିପାରେ ବୋଲି ଆଶା କରାଯାଉଛି । କମ୍ପାନୀ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଭାରତ ସରକାରଙ୍କ ଠାରେ ଆବେଦନ କରିଛନ୍ତି ।

Advertisment

କମ୍ପାନୀର ପ୍ରବକ୍ତା ଏକ ବୟାନରେ କହିଛନ୍ତି କି, ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିମିଟେଡ ଅଗଷ୍ଟ ୫ ତାରିଖରେ ନିଜର ସିଙ୍ଗଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି । ଏହାସହ ପ୍ରବକ୍ତା କହିଛନ୍ତି କି ଏହା ଏକ ଗରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ, ଏହା ଭାରତ ସହ ବିଶ୍ୱର ଲୋକଙ୍କୁ ବାୟୋଲୋଜିକାଲ –ଇ କମ୍ପାନୀ ସହିତ ମିଳିତ ଭାବେ ସିଙ୍ଗଲ ଡୋଜ କୋଭିଡ ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ।

ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କିଛିଦିନ ପୂର୍ବରୁ ଜନସନ ଆଣ୍ଡ ଜନସନ ଟିକାକୁ ନେଇ ଏକ ବୟାନ ଜାରି କରିଥିଲେ । ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ବି.କେ ପଲ କହିଥିଲେ କି ଜନସନ ଆଣ୍ଡ ଜନସନ ଟିକା ଏବେ ବାହାର ଦେଶରେ ପ୍ରସ୍ତୁତ ହେଉଛି । ଭାରତ ସରକାରଙ୍କ ଯୋଜନା ମୁତାବକ ଏହି ଟିକାର ଉତ୍ପାଦନ ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ-ଇ କମ୍ପାନୀ ମାଧ୍ୟମରେ କରାଯିବ ।

କହିରଖୁ କି ବର୍ତମାନ ଦେଶରେ ୪ ଟି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି । ଯାହା ମଧ୍ୟରେ କୋଭିସିଲ୍ଡ, କୋଭାକ୍ସିନ,ସ୍ପୁଟନିକ-ଭି ଓ ମଡର୍ଣ୍ଣା ଟିକା ରହିଛି । ଯଦି ଜନସନ ଆଣ୍ଡ ଜନସନ ଟିକାକୁ ଭାରତ ସରକାର ଅନୁମତି ଦିଅନ୍ତି ତେବେ ଏହା ଦେଶର ପ୍ରଥମ ସିଙ୍ଗଲ ଡୋଜ ଟିକା ହେବ ।