ବେବି ପାଉଡର ବିକ୍ରି ବନ୍ଦ କରିବ ଜନସନ ଆଣ୍ଡ ଜନସନ! ଜାଣନ୍ତୁ କଣ ରହିଛି ଏହା ପଛର କାରଣ?

353

କନକ ବ୍ୟୁରୋ : ବନ୍ଦ ହେବ ଜନସନ ଆଣ୍ଡ ଜନସନ ବେବି ପାଉଡର । ବିଶ୍ୱର ସମସ୍ତ ଦେଶରୁ ଏହି ବେବି ପାଉଡର ବିକ୍ରି ବନ୍ଦ କରିବ ଫାର୍ମା କମ୍ପାନି ଜନସନ ଆଣ୍ଡ ଜନସନ । ୨୦୨୩ ସୁଦ୍ଧା ବିଶ୍ୱର ସବୁ ଦେଶରେ ଏହି ପାଉଡର ବିକ୍ରି ବନ୍ଦ କରାଯିବ । କମ୍ପାନି ପକ୍ଷରୁ କୁହାଯାଇଛି, ପୂର୍ବରୁ ଅନେକ ଦେଶରେ ଏହି ବେବି ପାଉଡର ବିକ୍ରି ହେଉଥିଲା । କିନ୍ତୁ ଆମେରିକାରେ କମ୍ପାନି ବିରୋଧରେ ଯେଉଁ ମାମଲା ଚାଲିଛି ତାହାକୁ ଦୃଷ୍ଟିରେ ରଖି ବିଶ୍ୱର ସବୁ ଦେଶରୁ ଏହି ପାଉଡର ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

୨୦୨୦ରେ କମ୍ପାନି ଆମେରିକା ଓ କାନାଡାରେ ପାଉଡର ବିକ୍ରି ବନ୍ଦ କରିଥିଲା । ଏହି ପାଉଡରରେ ଏକପ୍ରକାର ହାନିକାରକ ଫାଇବର ମିଳିଥିଲା, ଯାହାଦ୍ୱାରା କ୍ୟାନସରର ସମ୍ଭାବନା ଯଥେଷ୍ଟ ଅଧିକ ବଢିଥାଏ । ଯେଉଁଥିପାଇଁ ୩୫ ହଜାରରୁ ଅଧିକ ମହିଳା କମ୍ପାନି ବିରୋଧରେ ମାମଲା କରିଥିଲେ । ଫଳରେ ଆମେରିକାରେ ଏହି ପାଉଡର ବିକ୍ରି କମିଥିଲା । ପରେ ୨୦୨୦ରେ ଆମେରିକା ଓ କାନାଡାରେ ଏହି ବେବି ପାଉଡର ବିକ୍ରିକୁ ବନ୍ଦ କରିଥିଲା କମ୍ପାନି । କିନ୍ତୁ ଏବେ ବିଶ୍ୱର ଅନ୍ୟ ଦେଶ ଗୁଡିକରେ ଏହି ବେବି ପାଉଡର ବିକ୍ରି କରୁଛି କମ୍ପାନି ।

ଏହି ପାଉଡର ଯୋଗୁଁ କ୍ୟାନସର ହେଉଥିବା କାରଣରୁ ଆମେରିକାର ଏକ କୋର୍ଟ କମ୍ପାନି ଉପରେ ୧୫ ହଜାର କୋଟି ଟଙ୍କାର ଜରିମାନା ଲଗାଇଥିଲା । ଏହି ସମୟରେ କୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳୁଛି କମ୍ପାନି । ଏପରିକି ଯେଉଁ ଅପରାଧ କମ୍ପାନି କରିଛି ତାହାକୁ ଟଙ୍କା ସହ ତଉଲା ଯାଇପାରିବ ନାହିଁ । କିନ୍ତୁ ଯେତେବେଳେ ଅପରାଧ ବଡ ସେତେବେଳେ ଜରିମାନା ବି ବଡ ଆକାରରେ ଦେବା ଉଚିତ୍ । ୧୮୯୪ ମସିହାରୁ ଜନସନ ବେବି ପାଉଡର ବିକ୍ରି ଆରମ୍ଭ ହୋଇଥିଲା । ତେବେ ୧୯୯୯ ମସିହାରେ ଏହା ପୂରା ବିଶ୍ୱବାସୀଙ୍କ ପ୍ରଥମ ପସନ୍ଦର ପାଉଡର ପାଲଟିଥିଲା ।