କନକ ବ୍ୟୁରୋ : ଏବେ ଭାରତରେ ପ୍ରଥମ ସିଙ୍ଗଲ ଡୋଜ କରୋନା ନିରୋଧୀ ଟିକା ଭାବେ ଜନସନ୍ ଆଣ୍ଡ ଜନସନକୁ ମଞ୍ଜୁରୀ ମିଳିଛି । ଭାରତ ସରକାର ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ଭାରତ ସରକାର ଏପର୍ଯ୍ୟନ୍ତ ୫ ଟି ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମଣ୍ଡାବିୟା ସୂଚନା ଦେଇଛନ୍ତି । ଏହାପୂର୍ବରୁ ଗୁରୁବାର ଦିନ କମ୍ପାନୀ ତରଫରୁ ଏକ ବୟାନ ଜାରି କରି କୁହାଯାଇଥିଲା କି ଭାରତରେ ଜନସନ ଆଣ୍ଡ ଜନସନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଆବେଦନ କରାଯାଇଛି ।

Advertisment

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଟ୍ୱିଟ କରି କହିଛନ୍ତି କି “ଭାରତ ନିଜର ଟିକା ଆବଶ୍ୟକତା ପୂରଣ ପାଇଁ ଜନସନ ଆଣ୍ଡ ଜନସନର ସିଙ୍ଗିଲ ଡୋଜ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛି” ।

ଅନ୍ୟପଟେ ଏହି ଟିକାର ବିଶେଷତା ନେଇ କୁହାଯାଇଛି କି, ଅନ୍ୟ କରୋନା ନିରୋଧୀ ଟିକା ଭଳି ଏହାକୁ ଅତିରିକ୍ତ ସର୍ବନିମ୍ନ ତାପମାତ୍ରାରେ ରଖିବାର ଆବଶ୍ୟକତା ନାହିଁ । ଏହାସହ ଅନ୍ୟ କମ୍ପାନୀର ଟିକା ଭଳି ଏହାକୁ ଦୁଇଟି ଡୋଜରେ ନେବାକୁ ପଡୁନଥିବାରୁ ଟିକାକରଣ ଅଭିଯାନରେ ସାମିଲ କରିବା ସହଜ ।

କହିରଖୁ କି ଭାରତରେ କରୋନା ସଂକ୍ରମଣ ରୋକିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏହି କ୍ରମରେ ଗତକାଲି ସୁଦ୍ଧା ଦେଶରେ ୫୦ କୋଟିରୁ ଅଧିକ ଖୋରାକ ଟିକା ଲୋକମାନଙ୍କୁ ଦିଆଯାଇ ରେକର୍ଡ ସୃଷ୍ଟି କରାଯାଇଛି । ଏହାସହ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଚାଇଲ୍ଡ ଭ୍ୟାକ୍ସିନ ଅକ୍ଟୋବର ମାସ ସୁଦ୍ଧା ଆସିବା ନେଇ କମ୍ପାନୀର ସିଇଓ ଆଶା ପ୍ରକଟ କରିଛନ୍ତି ।