ଜନି ଲିଭର ପ୍ରାୟ ୩୫୦ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ପ୍ରଥମରୁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ତାଙ୍କର ଆଦୌ ଇଚ୍ଛା ନଥିଲା । ଆର୍ଥିକ ଦୁରବସ୍ଥା ଯୋଗୁଁ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ପ୍ରଥମ ଫିଲ୍ମରେ ଅଭିନୟକୁ ଡରି ତାଙ୍କୁ ଜର ହେଇଯାଇଥିଲା । ତ୍ରିରଙ୍ଗାକୁ ଅପମାନ କରି ଜେଲ ମଧ୍ୟ ଯାଇଥିଲେ ।

ତାଙ୍କର ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷ ଏବଂ ସଫଳତାର କାହାଣୀ ।

ଜନି ଲିଭରଙ୍କର ଜନ୍ମ ୧୪ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶର ଏକ ତେଲୁଗୁ ଖ୍ରୀଷ୍ଟିୟାନ ପରିବାରରେ ହେଇଥିଲା । ତାଙ୍କର ପିତା ହିନ୍ଦୁସ୍ତାନ ୟୁନିଲିଭର ପ୍ଳାଣ୍ଟରେ କାମ କରୁଥିଲେ । ତିନି ଭାଇ ଦି ଭଉଣୀଙ୍କ ଭିତରେ ଜନି ଲିଭର ବଡ଼ ଥିଲେ ।

ଆର୍ଥିକ ଅଭାବ ଯୋଗୁଁ ବେଶି ପାଠ ପଢି ପାରିନଥିଲେ

ଜନି ଲିଭର ବହୁ କଷ୍ଟରେ କେବଳ ସପ୍ତମ ଯାଏ ପାଠ ପଢି ପାରିଥିଲେ । ପରିବାରର ଆର୍ଥିକ ଅବସ୍ତା ଅତ୍ୟନ୍ତ ଖରାପ ଥିଲା । ତାଙ୍କ ପିତା ପରିବାର ପ୍ରତି ବିଶେଷ ଧ୍ୟାନ ଦେଉନଥିଲେ । ଜନି ଲିଭର ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ପିତା  ପ୍ରାୟ ସବୁବେଳେ ମଦନିଶାରେ ବୁଡ଼ି ରହୁଥିଲେ । ସାରାଦିନ ନିଜର ମଦ୍ୟପ ସାଙ୍ଗମାନଙ୍କ ସହ ଘର ବାହାରେ ରହୁଥିଲେ । ଘର ପ୍ରତି ତିଳେମାତ୍ର ଦୃଷ୍ଟି ଦେଉନଥିଲେ । ତାଙ୍କ ପିତାଙ୍କର ବଡ଼ଭାଇ ସେମାନଙ୍କୁ ବେଳେବେଳେ ଯତକିଞ୍ଚିତ ଆର୍ଥିକ ସହାୟତା ଦେଉଥିଲେ ।  କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ପରି ଥିଲା । ଏଇଥିପାଇଁ ତାଙ୍କୁ ପାଠରେ ଡୋରି ବାନ୍ଧିବାକୁ ପଡିଥିଲା ଏବଂ ଛୋଟମୋଟ କାମ କରିଥିଲେ ।

ତାଙ୍କ ଶିକ୍ଷକ ପାଠପଢା ଖର୍ଚ୍ଚ ଦେବାକୁ ଚାହୁଁଥିଲେ

ଜନି ଲିଭର ଛୋଟବେଳୁ ବହୁତ କ୍ରିଏଟିଭ ଥିଲେ । ନକଲ କରିବାରେ ସେ ମାହିର ଥିଲେ । ଛୋଟବଡ ତାଙ୍କ ସମ୍ମୁଖରେ ଯିଏ ପଡ଼ିଲା ସିଏ ତା’ର ନକଲ କରିଦେଉଥିଲେ  । ତାଙ୍କର ଏହି କଳା ପାଇଁ  ସ୍କୁଲରେ ସମସ୍ତେ ତାଙ୍କୁ ଭଲପାଉଥିଲେ । ତାଙ୍କର କ୍ଳାସ ଟିଚର ମଧ୍ୟ ତାକୁ ଏଥିପାଇଁ ବହୁତ ଭଲ ପାଉଥିଲେ । ଯେତେବେଳେ ଶୁଣିଲେ ଜନି  ଅର୍ଥ ଅଭାବ ଯୋଗୁ ସ୍କୁଲ୍ ଆସୁନାହିଁ ସେ ତାଙ୍କର କିଛି ସହପାଠୀଙ୍କୁ ତାଙ୍କ ଘରକୁ ପଠାଇଥିଲେ । ଜନିକୁ ସ୍କୁଲକୁ ଫେରେଇ ଆଣିବାକୁ  ସେ ଚାହୁଁଥିଲେ  ଏବଂ ତା ପଢାର ସମସ୍ତ ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ । କିନ୍ତୁ ଜନି ଲିଭର ମନା କରିଦେଇଥିଲେ । ତାଙ୍କର ପାଠପଢାରେ ମନ ନଥିଲା ବୋଲି ସେ ପରେ କହିଥିଲେ ଏହା ମଧ୍ୟ କହିଥିଲେ ସେହି ଶିକ୍ଷକଙ୍କ ସହ ଏବେ ମଧ୍ୟ ଯୋଗାଯୋଗରେ ଅଛନ୍ତି ।

ଆର୍ଥିକ ଦୁରବସ୍ଥା ଯୋଗୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ

ଘରର ବଡ଼ପୁଅ ହେଇଥିବା ଯୋଗୁଁ ଘରର ଆର୍ଥିକ ଅବସ୍ଥାକୁ ନେଇ ଜନି ଲିଭର ସବୁବେଳେ ଚିନ୍ତିତ ରହୁଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିବାକୁ ମନସ୍ଥ ମଧ୍ୟ କରିଥିଲେ । ଏହି ଘଟଣା ବିଷୟରେ ସେ କୁହନ୍ତି , ଦିନେ ସେ ଆତ୍ମହତ୍ୟା କରିବେ ବୋଲି ମନସ୍ଥ କରି ନିକଟରେ ଥିବା ରେଳଧାରଣ ଉପରେ ଚିତ ହୋଇ ଆଖିବୁଜି ଶୋଇପଡ଼ିଥିଲେ । କିନ୍ତୁ ଆଖି ସାମନାରେ ଘରଲୋକଙ୍କର ମୁହଁ ସବୁ ଦେଖାଗଲା ଓ ତାଙ୍କୁ କାନ୍ଦ ମାଡ଼ିଲା ଏବଂ ସେ ରେଳଧାରଣରୁ ଉଠି ଘରକୁ ଚାଲି ଆସିଥିଲେ ।

ନକଲ କରିବାର କଳା ଯୋଗୁଁ ସେ ଗୋଟେ ଅର୍କେଷ୍ଟ୍ରା ଗ୍ରୁପରେ କାମ କରିବାର ସୁଯୋଗ ପାଇଥିଲେ । ସେହି ଗ୍ରୁପରେ  ବିଭିନ୍ନ ସ୍ଥାନକୁ ଯାଇ ଷ୍ଟାଣ୍ଡଅପ କମେଡ଼ି କରୁଥିଲେ । ଏଥିରେ ତାଙ୍କର ଭଲ ରୋଜଗାର ମଧ୍ୟ ହେଉଥିଲା । ଦିନେ ସେ ଗ୍ରୁପର ମାଲିକ ଘରକୁ ଯିବାସମୟରେ ତାଙ୍କୁ ବାଟରେ ଜଣେ ଲୋକ ଅଟକେଇ କହିଲା ‘ସେ ଗ୍ରୁପ ସହିତ ଇଆଡେ ସିଆଡେ ବୁଲି ନାଚିବା ଅପେକ୍ଷା ନିଜର କାମ କର,ସେଥିରେ ଭଲ ରୋଜଗାର ହେବ । ସେ ଲୋକର କଲମ ବ୍ୟବସାୟ ଥିଲା । ସେ ଜନି ଲିଭରକୁ ନିଜ ବେପାରରେ ସହଭାଗୀ କରିବାକୁ ଚାହୁଁଥିଲା । ଜନି ଲିଭର କିଛିଦିନ ବୁଲିବୁଲି ପେନ ମଧ୍ୟ ବିକିଥିଲେ । ସେତେବେଳେ ଦିନକୁ ୫-୬ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ।  ପେନ ବିକିବା ସମୟରେ ସେ ଲକ୍ଷ୍ୟ କଲେ କିଛିଲୋକ ବଲିଉଡ କଳାକାରଙ୍କର ମିମିକ୍ରୀ(କଣ୍ଠସ୍ବର କପି) କରୁଛନ୍ତି । ଏହାଦେଖି ତାଙ୍କୁ ବହୁତ ମଜା ଲାଗିଥିଲା  ଏବଂ ସେ ସେମିତି କରିବାକୁ ମନ ବଳାଇଥିଲେ । ଏହାପରେ ସେ ଏକ ନୂତନ ଢଙ୍ଗରେ ପେନ ବିକିବା ଆରମ୍ଭ କଲେ । ବଲିଉଡ କଳାକାରଙ୍କର ମିମିକ୍ରୀ କରିକରି ସେ ପେନ ବିକିଲେ । ପ୍ରଥମେ ସେ ଅଶୋକ କୁମାରଙ୍କର ନକଲ କରିବା ଆରମ୍ଭ କଲେ । ଏହା ଲୋକମାନଙ୍କୁ ବହୁତ ପସନ୍ଦ ହେଲା । ତାଙ୍କର ରୋଜଗାର ୫-୬ ଟଙ୍କାରୁ ୫୦୦-୬୦୦ରେ ପହଞ୍ଚିଗଲା । ଯୋଉ ଲୋକ ତାଙ୍କୁ ଏ କାମ କରିବାକୁ କହିଥିଲା ସେ ଜନି ଲିଭରଙ୍କର ରୋଜଗାର ଦେଖି ନିଜେ ତାଜୁବ ହେଇଗଲା ।

କିନ୍ନର ମାନକ ସହ ପ୍ରତିଯୋଗିତା

ଦିନେ ଜନି ଲିଭର ଗୋଟେ ଫଙ୍କସନକୁ ଯାଇଥିଲେ । ସେଠି କିଛି କିନ୍ନର ନିଜନିଜର ଅନ୍ଦାଜରେ ଗୀତ ଗାଇ ଏବଂ ଅଭିନୟ କରି ଲୋକଙ୍କୁ ପଇସା ମାଗୁଥିଲେ । ତାଙ୍କୁ ଦେଖି ଜନି ଲିଭର ମଜାରେ ସେମାନଙ୍କ ପରି ଗୀତ ଗାଇ ଅଭିନୟ କରି ପଇସା ମାଗିଲେ । ଲୋକମାନେ ବହୁତ ଖୁସିରେ ତାଙ୍କର ଏ ଅଭିନୟକୁ ଉପଭୋଗ କରୁଥିଲେ । ଏସବୁ ଦେଖି କିନ୍ନର ମାନେ ଖୁସିହୋଇ ତାଙ୍କୁ ସେମାନଙ୍କ ଗ୍ରୁପରେ ଯୋଗ ଦେବାପାଇଁ କହିଥିଲେ । ଜନି ଲିଭର ହସି ହସି ତାହାକୁ  ପ୍ରତ୍ୟାଖାନ କରି ସେଠୁ ପାଇଥିବା ସମସ୍ତ ଅର୍ଥ ସେମାନଙ୍କୁ ଦେଇଦେଇଥିଲେ ।

ଫିଲ୍ମରେ ଅଭିନୟ କରିବାର ସୁଯୋଗ

ତାଙ୍କ ଅର୍କେଷ୍ଟ୍ରା ଗ୍ରୁପର ଲୋକମାନେ ତାଙ୍କୁ ପ୍ରସିଦ୍ଧ ସଙ୍ଗୀତକାର ଯୋଡ଼ି କଲ୍ୟାଣ-ଆନନ୍ଦଙ୍କ ସହ କରାଇଥିଲେ । ଏହାପରେ ଜନି ତାଙ୍କ ସହ ବଡ଼ ବଡ଼ ସୋ କରିବାକୁ ଆରମ୍ଭ କଲେ । ଷ୍ଟେଜ ସୋ ବହୁତ ସହଜରେ କରୁଥିବା ଜନି ଲିଭର କିନ୍ତୁ ଚଳଚ୍ଚିତ୍ରରେ କାମ କରିବାକୁ କୁଣ୍ଠାବୋଧ କରୁଥିଲେ ।

ଦିନେ କଲ୍ୟାଣଜୀ କିଛିଲୋକଙ୍କ ସହ କ୍ୟାରମ ଖେଳୁଥିଲେ । ସେହି ସମୟରେ ଜଣେ ତାମିଲ ପ୍ରଯୋଜକ କହିଲେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ପ୍ରାୟ ସରିଆସିଲାଣି ଖାଲି ଦୁଇ ତିନିଟା କମେଡ଼ି ସିନ ବାକି ଅଛି । ସେ ଜଣେ ଏମିତି କମେଡିଆନ ଖୋଜୁଛନ୍ତି ଯିଏ କି ଜଗଦୀପଙ୍କ ବିପକ୍ଷରେ ଏହି ଦି ତିନିଟା ସିନ ପାଇଁ କାମ କରିବ । କମେଡିଆନ କଥା ଶୁଣି କଲ୍ୟାଣଜୀ ସେ ପ୍ରଯୋଜକଙ୍କୁ ଜନି ଲିଭରଙ୍କୁ ସୁଯୋଗ ଦେବାକୁ କହିଲେ । ପ୍ରଯୋଜକ ମଧ୍ୟ ରାଜି ହେଇଗଲେ । କିନ୍ତୁ ଏହା ଶୁଣି ଡରି ଜନି ଲିଭରଙ୍କର ଗୋଡ଼ହାତ ଥରିବାକୁ ଲାଗିଲା । କାରଣ ସେ ପୂର୍ବରୁ କେବେ ବି ଚଳଚ୍ଚିତ୍ରରେ କାମ କରିନଥିଲେ । ଏହି ଘଟଣାର ମାତ୍ର ଦି ଘଣ୍ଟା ପରେ ତାଙ୍କୁ ଚେନ୍ନାଇ ଯିବାକୁ ପଡିଥିଲା । ଟ୍ରେନରେ ସେ ସାରାରାତି ଶୋଇ ପାରିନଥିଲେ । ତାଙ୍କୁ ଜର ହେଇଯାଇଥିଲା । ଯେତେବେଳେ କ୍ୟାମେରା ସାମନାରେ ସେ କଳାକାର ମାନଙ୍କୁ ବିନା ସଙ୍କୋଚରେ ଅଭିନୟ କରିବା ଦେଖିଲେ ତାଙ୍କର ହୃଦବୋଧ ହେଲା ଯେ ସେ ଷ୍ଟେଜ ପରି ଫିଲ୍ମରେ ମଧ୍ୟ ସହଜରେ ଅଭିନୟ କରିପାରିବେ । ଏମିତି ଆରମ୍ଭ ହେଇଥିଲା ତାଙ୍କର ଚଳଚ୍ଚିତ୍ର ଅଭିନୟ ଜୀବନ । ସେହି ତାମିଲ ଫିଲ୍ମର ହିନ୍ଦୀ ରିମେକର ନାଁ ଥିଲା “ୟେ ରିଷ୍ଟା ନା ଟୁଟେ” ।

ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୩୫୦ରୁ ଉର୍ଦ୍ଧ ଫିଲ୍ମରେ ରୋଲ କରିଛନ୍ତି । ବର୍ତ୍ତମାନ ତାଙ୍କ ସମ୍ପତିର ମୂଲ୍ୟ ପ୍ରାୟ  ୨୨୭ କୋଟି ଟଙ୍କା ।

ତ୍ରିରଙ୍ଗାର ଅପମାନ କରି ଜେଲ ଯାଇଥିଲେ

୧୯୯୯ ମସିହାରେ ସେ ଏକ ସୋ କରିବାକୁ ଯାଇଥିଲେ । ସେହି ସୋ’ରେ ସେ ଆମ ଜାତୀୟ ପତାକା ତ୍ରିରଙ୍ଗାକୁ ନେଇ ଏମିତି କିଛି କହିଥିଲେ ଯାହାକୁ ନେଇ କିଛିଲୋକ କେସ କରିଥିଲେ । ସେହି ମାମଲାରେ ତାଙ୍କୁ ୭ ଦିନ ଜେଲଦଣ୍ଡ ମଧ୍ୟ ହୋଇଥିଲା । ପରେ ନିସର୍ତ୍ତ କ୍ଷମାପ୍ରାର୍ଥନା ଯୋଗୁ ତାଙ୍କ ଜେଲଦଣ୍ଡକୁ ୭ ଦିନରୁ ଏକଦିନ କରିଦିଆଯାଇଥିଲା । ଏହି ବିଷୟରେ ସେ କୁହନ୍ତି କି ସେ ଯାହାକିଛି କହିଥିଲେ ସେଥିପାଇଁ ସେ ଅନୁତପ୍ତ ଓ ତାହା ଅଜାଣତରେ ପାଟିରୁ ବାହାରିଯାଇଥିଲା ।