କନକ ବ୍ୟୁରୋ : ୨୦୦୭ ଟି-୨୦ ବିଶ୍ୱକପର ଐତିହାସିକ ଓଭର ପକାଇ ଭାରତକୁ ବିଜୟୀ କରାଇଥିବା ଯୋଗୀନ୍ଦର ଶର୍ମାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି । ଆତ୍ମହତ୍ୟା ପାଇଁ ଉସକାଉଥିବା ନେଇ ହରିଆଣାର ହିସାର ଥାନାରେ ମାମଲା ରୁଜୁ ହୋଇଛି । ଯୋଗୀନ୍ଦର ପାକିସ୍ତାନ ବିରୋଧ ୨୦୦୭ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଶେଷ ଓଭର ବୋଲିଂ କରି ଭାରତକୁ ବିଜୟୀ କରାଇଥିଲେ । ଏବେ ସେ ହରିଆଣାର ଡିଏସପି ପଦରେ ଅଛନ୍ତି ।
ଯୋଗୀନ୍ଦରଙ୍କ ସମେତ ୬ ଜଣଙ୍କ ବିରୋଧରେ ହିସାର ଆଜାଦନଗର ଥାନାରେ ମାମଲା ରୁଜୁ ହୋଇଛି । ହିସାରର ଡାବଡା ଗାଁର ପବନ ନାମକ ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଯୋଗୀନ୍ଦର କହିଛନ୍ତି କି ଏ ବାବଦରେ ତାଙ୍କୁ କିଛି ଜଣାନାହିଁ ।
ଏଏସପି ରାଜେଶ କୁମାର ମୋହନ କହିଛନ୍ତି କି, ଅଭିଯୁକ୍ତଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିବା ଓ ଏସସି ଏସଟି ଧାରା ଯୋଡି ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଯାଂଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପାବଡା ଗାଁର ସୁନିତା ଜାନୁଆରୀ ୨ ତାରିଖରେ ଥାନାରେ ଅଭିଯୋଗ କରିଥିଲେ କି ତାଙ୍କ ଘରକୁ ନେଇ ଅଜୟବୀର, ଇଶ୍ୱର ପ୍ରେମ, ରାଜେନ୍ଦ୍ର ସିହାଗ ଓ ଅନ୍ୟମାନଙ୍କ ନାମରେ ମାମଲା ଚାଲିଛି । ଏହି କାରଣରୁ ତାଙ୍କ ପୁଅ ପବନ ମାନସିକ ଭାବେ ଚାପରେ ରହିଥିଲେ । ଏବଂ ଏହି କାରଣ ପାଇଁ ସେ ଜାନୁଆରୀ ପହିଲାରେ ଆତ୍ମହତ୍ୟା କରିଥିଲେ । ଏହା ପଛରେ ପୂର୍ବ କ୍ରିକେଟର ଯୋଗୀନ୍ଦର ଶର୍ମା, ଅଜୟ ବୀର ଓ ଇଶ୍ୱର ପ୍ରେମ ପବନଙ୍କୁ ଅତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ତାଙ୍କ ମା’ସୁନିତା ଥାନାରେ ଅଭିଯୋଗ କରିଛନ୍ତି ।