ନବ ଦାସଙ୍କ ଷ୍ଟାଇଲରେ ବିଜେଡିରେ ମିଶିବେନି ଯୋଗେଶ ସିଂ ! ସୁନ୍ଦରଗଡ ବଦଳରେ ଭୁବନେଶ୍ୱରରେ ଫୁଙ୍କିବେ ଶଙ୍ଖ, ଜାଣନ୍ତୁ କଣ ରହିଛି କାରଣ?

ନବ ଦାସଙ୍କ ଷ୍ଟାଇଲରେ ବିଜେଡିରେ ମିଶିବେନି ଯୋଗେଶ ସିଂ ! ସୁନ୍ଦରଗଡ ବଦଳରେ ଭୁବନେଶ୍ୱରରେ ଫୁଙ୍କିବେ ଶଙ୍ଖ, ଜାଣନ୍ତୁ କଣ ରହିଛି କାରଣ?

କନକ ବ୍ୟୁରୋ : ଆସନ୍ତା ୬ରେ ବିଜେଡିରେ ଯୋଗ ଦେବେ ପୂର୍ବତନ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ । ସଜ ସଜ କଂଗ୍ରେସ ଛାଡିଥିବା ଯୋଗେଶ ୬ ତାରିଖରେ ସବୁଜ ଶିବିରରେ ଏଣ୍ଟ୍ରି କରିବେ । ତେବେ ଯୋଗେଶ ସୁନ୍ଦରଗଡରେ ନୁହେଁ ବରଂ ଭୁବନେଶ୍ୱରରେ ଶଙ୍ଖ ଫୁଙ୍କିବେ ବୋଲି ଜଣା ପଡିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଯେତେବେଳେ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଉରକେଲାରେ ଭୁଷୁଡି ପଡିଥିବା କଂଗ୍ରେସର ଗଡ ପଶ୍ଚିମ ଓଡିଶାକୁ ଶକ୍ତିଶାଳୀ କରିବାକୁ କର୍ମୀ ମାନଙ୍କୁ ମନ୍ତ୍ର ଦେଉଥିବେ ସେହି ସମୟରେ ଭୁବନେଶ୍ୱର ପାର୍ଟି ଅଫିସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେବେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ । କିନ୍ତୁ ଯେଉଁଠି ପୂର୍ବତନ କଂଗ୍ରେସ ବିଧାୟକ ନବ ଦାସ ଝାରସୁଗୁଡାରେ ଶକ୍ତି ପ୍ରର୍ଦଶନ କରି ବିଜେଡିରେ ସାମିଲ ହୋଇଥିଲେ ସେଭଳି ସ୍ଥଳେ ବିଜେଡିରେ ଯୋଗେଶଙ୍କ ମିଶ୍ରଣ ପର୍ବ ପାଣିଚିଆ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୁନ୍ଦରଗଡ ନୁହେଁ ବରଂ ଭୁବନେଶ୍ୱର ପାର୍ଟି ଅଫିସରେ ଶଙ୍ଖ ଧରିବେ ଯୋଗେଶ । କିନ୍ତୁ ଯେଉଁଠି ଶହ ଶହ କର୍ମୀଙ୍କ ଗହଣରେ ଝାରସୁଗୁଡାର ପୂର୍ବତନ ବିଧାୟକ ପଟୁଆରରେ ଆସି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିପାରିଲେ ।  ଓ ନବ ଦାସଙ୍କୁ ମଧ୍ୟ ଜୋରଦାର ସ୍ୱାଗତ ସହ ଦଳରେ ମିଶାଗଲା ସେଭଳି ସ୍ଥଳେ ସୁନ୍ଦରଗଡରେ କର୍ମୀଙ୍କ ଗହଣରେ ଆସି ଯୋଗେଶ ବିଜେଡିରେ ନ ମିଶି ପାର୍ଟି ଅଫିସରେ ମିଶିବା ପଛରେ କଣ କାରଣ ରହିଛି । ଦଳୀୟ ଅସନ୍ତୋଷ ହିଁ ଏହା ପଛର ମୁଖ୍ୟ କାରଣ ବୋଲି ଜଣାପଡିଛି । ଖାସକରି ବିଜେଡି ନେତ୍ରୀ କୁସୁମ ଟେଟେଙ୍କ ସମର୍ଥକ ଯୋଗେଶଙ୍କ ଦଳରେ ଏଣ୍ଟ୍ରି କରିବା ପଥରେ ବଡ ପ୍ରତିବନ୍ଧକ ସାଜି ଉଭା ହୋଇଛନ୍ତି ।

ଯୋଗେଶଙ୍କ ବିଜେଡିରେ ଯୋଗଦାନକୁ ସୁନ୍ଦରଗଡରେ ଦଳର ତୃଣମୂଳସ୍ତରର କର୍ମୀ ଗ୍ରହଣ କରିବେ ନାହିଁ ବୋଲି ସଫା ସଫା କହିଛନ୍ତି । ଏପରିକି ସୁନ୍ଦରଗଡରୁ ବିଜେଡି ଟିକେଟରେ ଲଢି ଆସୁଥିବା କୁସୁମ ଟେଟେଙ୍କ ସମର୍ଥକ ମାନେ ଯୋଗେଶଙ୍କ ଦଳରେ ଯୋଗ ଦେବାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏପରିକି କୁସୁମଙ୍କୁ ବୁଝାଇବା ପାଇଁ ଭୁବନେଶ୍ୱରରୁ ଯେଉଁ ଫର୍ମୁଲା ନେଇ ବିଜେଡିର ଦୁଇ ନେତା ସୁନ୍ଦରଗଡକୁ ଯାଇଥିଲେ ତାହାକୁ ଗ୍ରହଣ କରିବାକୁ ମୁହେଁ ମୁହେଁ ମନା କରି ଦେଇଥିଲେ କୁସୁମଙ୍କ ସମର୍ଥକ  । ଏପରିକି ଯଦି ଯୋଗେଶ ଦଳରେ ମିଶନ୍ତି ତେବେ ଦଳ ଛାଡିବାକୁ ଧମକ ମଧ୍ୟ ଦେଇଥିଲେ କୁସୁମଙ୍କ ସମର୍ଥକ ।

publive-imageଆଉ ଏଭଳି ସ୍ଥିତିରେ ସୁନ୍ଦରଗଡରେ ସଭା କରି ଯୋଗେଶଙ୍କୁ ମିଶାଇଥିଲେ ବିଜେଡିରେ ବଡ ଧରଣର ବିଶୃଙ୍ଖଳା ଦେଖିବାକୁ ମିଳିଥାନ୍ତା । ଏପରିକି କୁସୁମ ଟେଟେଙ୍କ ସମର୍ଥକ ମାନେ ଯୋଗେଶଙ୍କୁ ବିରୋଧ କରିବା ସହ ସଭାରେ ଯଦି କିଛି ବିଶୃଙ୍ଖଳା ସୃଷ୍ଟି କରିଥାନ୍ତେ ତେବେ ଏହା ବାହାରକୁ ଭିନ୍ନ ବାର୍ତ୍ତା ଦେବା ସହ ବିରୋଧୀ ଦଳ ଗୁଡିକୁ ସୁହାଇଥାନ୍ତା । ତେଣୁ ଯୋଗେଶଙ୍କ ବିଜେଡିରେ ଯୋଗ ଦେବା ନେଇ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପାଇଁ ସୁନ୍ଦରଗଡ ବଦଳରେ ବିଜେଡି ପାର୍ଟି ଅଫିସରେ ଏହି ମିଶ୍ରଣ ପର୍ବ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ଯୋଗେଶଙ୍କ ମିଶ୍ରଣ ପର୍ବରେ କୁସୁମ ଟେଟେଙ୍କ ଉପରେ ସମସ୍ତଙ୍କର ନଜର ରହିବ । ଯୋଗେଶଙ୍କ ମିଶ୍ରଣ ପର୍ବରେ କୁସୁମ ଟେଟେ ସାମିଲ ହେବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କୁସୁମ ଟେଟେ କହିଛନ୍ତି,  ଦଳ ସୁପ୍ରିମୋଙ୍କ ପକ୍ଷରୁ ଏନେଇ କୌଣସି ଖବର ଦିଆଯାଇନାହିଁ । ଯଦି ଏହି ବାବଦରେ ଖବର ଦିଆଯାଏ ତେବେ ମିଶ୍ରଣ ପର୍ବରେ ସାମିଲ ହେବେ ବୋଲି କୁସୁମଙ୍କ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe