କ୍ରିକେଟପ୍ରେମୀଙ୍କ ମନ ଜିଣିଲେ କେରୀ । ଜୋଫ୍ରାଙ୍କ ବୋଲିଂରେ ହେଲେ ଲହୁଲୁହାଣ, ମୁହଁରେ ପଟି ବାନ୍ଧି ବ୍ୟାଟିଂ କଲେ, ଦଳ ପାଇଁ ସଙ୍କଟମୋଚକ ସାଜିଲେ । ଦେଖନ୍ତୁ ଭିଡ଼ିଓ

709

କନକ ବ୍ୟୁରୋ : ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ପ୍ରଥମରୁ ବଡ ଝଟକା ଲାଗିଥିଲା । ମାତ୍ର ୧୪ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡିଥିଲା କଙ୍ଗାରୁ ଟିମ୍ । ଆଉ ଏହାପରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ପୂର୍ବତନ ଅଧିନାୟକ ସ୍ମିଥ ଓ ୱିକେଟ କିପର ଆଲେକ୍ସ କେରୀ ।

ଗୋଟିଏ ପଟେ ଇଂଲଣ୍ଡର ଘାତକ ବୋଲିଂରେ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟପଟେ ଜୋଫ୍ରା ଆର୍ଚରଙ୍କ ବୋଲିଂରେ ଲହୁଲୁହାଣ ହୋଇଥିଲେ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ ଆଲେକ୍ସ କେରୀ । ଗୋଟିଏ ପଟେ ଆଲେକ୍ସ କେରୀଙ୍କ ମୁହଁରୁ ରକ୍ତ ବହି ଚାଲିଥିବା ବେଳେ ତାଙ୍କ ବ୍ୟାଟରୁ ରନ୍ ମଧ୍ୟ ବନ୍ଦ ହୋଇନଥିଲା । ଲହୁଲୁହାଣ ହୋଇଥିଲେ ମଧ୍ୟ ସେମିଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କ୍ରିଜ୍ ଛାଡିନଥିଲେ କେରୀ ।

ଅଷ୍ଟ୍ରେଲିଆ ଇନିଂସର ୮ତମ ଓଭରରେ କେରୀ ମାତ୍ର ୧ ରନରେ ବ୍ୟାଟିଂ କରୁଥିବା ବେଳେ ସାମ୍ନାରେ ଥିଲେ ଘାତକ ବୋଲର ଜୋଫ୍ରା ଆର୍ଚର । ତେବେ ଜୋଫ୍ରା ଆର୍ଚରଙ୍କ ବାଉନ୍ସର ବଲକୁ ବୁଝି ପାରିନଥିଲେ କେରୀ । ଆଉ ଏହା ସିଧା ଆସି କେରୀଙ୍କ ହେଲମେଟରେ ବାଜିଥିଲା । ତେବେ ବଲର ବେଗ ଏତେ ଜୋର ଥିଲା ଯେ, ଏହା ହେଲମେଟକୁ ଖସାଇବା ସହ କେରୀଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି କରିଥିଲା । ଯେଉଁଥିପାଇଁ କେରୀଙ୍କ ମୁହଁରୁ ପ୍ରବଳ ରକ୍ତ ବହିଥିଲା ।
ଦଳର ଫିଜିଓ ସଙ୍ଗେ ସଙ୍ଗେ ଗ୍ରାଉଣ୍ଡରେ ପହଞ୍ଚି କେରୀଙ୍କର ଚିକିତ୍ସା କରିବା ସହ ମୁହଁରେ ବ୍ୟାଣ୍ଡେଜ ପକାଇ ଦେଇଥିଲେ । ଏହାସତ୍ତେ୍ୱ ମଧ୍ୟ କେରୀଙ୍କ ମୁହଁରୁ ରକ୍ତ ବହିବା ବନ୍ଦ ହୋଇନଥିଲା । ପରେ ମୁହଁରେ ପଟି ଗୁଡାଇ ବ୍ୟାଟିଂ ଜାରି ରଖିଥିଲେ କେରୀ । ଆଉ ଏହାସହ ଦଳ ପାଇଁ ସାଜିଥିଲେ ସଙ୍କଟମୋଚକ । ଦଳର ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟପୂର୍ଣ୍ଣ ୪୬ ରନର ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ରକ୍ତ ଜୁଡୁବୁଡ ଅବସ୍ଥାରେ ବ୍ୟାଟିଂ କରି କେରୀ ଏବେ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି ।

ଏହାପୂର୍ବରୁ ଭାରତର ଅନୀଲ କୁମ୍ବେଲ ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ମୁହଁରେ ପଟି ବାନ୍ଧି ମୈଦାନକୁ ଓହ୍ଲାଇଥିଲେ । ୱେଷ୍ଟଇଣ୍ଡିଜ ବୋଲର ମାର୍ଭନ ଡିଲ୍ଲନ ବୋଲିଂ କରୁଥିବା ବେଳେ ଏହା ସିଧାସଳଖ ଅନୀଲ କୁମ୍ବେଲଙ୍କ ମୁହଁରେ ବାଜିଥିଲା । ମୁହଁରୁ ରକ୍ତ ବାହାରୁଥିଲେ ମଧ୍ୟ ବ୍ୟାଟ୍ ଛାଡିନଥିଲେ କୁମ୍ବେଲ । ଏପରିକି ମୁହଁରେ ପଟି ବାନ୍ଧି ବୋଲିଂ କରିବା ସହ ଲାରାଙ୍କ ୱିକେଟ ହାସଲ କରିଥିଲେ ।