ପଡିଆ ମଝିରେ ଇଂଲଣ୍ଡ ବ୍ୟାଟସମ୍ୟାନ ରୁଟଙ୍କ ନାକରୁ ଅଚାନକ ବହିଲା ରକ୍ତ । କିଛି ସମୟ ପାଇଁ ବନ୍ଦ ରହିଲା ମ୍ୟାଚ୍ ।

471

ଚଳିତ ବିଶ୍ୱକପରେ ଆଜି ମୁହାଁମୁହିଁ ହେଉଛନ୍ତି ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ସେମିଫାଇନାଲ ଟିକେଟ ପାଇଁ ମୈଦାନକୁ ଓହ୍ଳାଇଛନ୍ତି ଉଭୟ ଦଳ । ପୂର୍ବରୁ ଅଷ୍ଟ୍ରେଲିଆ ଓ ଭାରତ ସେମିଫାଇନାଲରେ ପହଞ୍ଚିଥିବା ବେଳେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଏବେ ମଧ୍ୟ ସେମିଫାଇନାଲ ରେସରେ ରହିଛନ୍ତି । ତେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଉଥିବା ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଥିଲା । ତେବେ ମ୍ୟାଚ୍ ବନ୍ଦ ହେବାର କାରଣ କ୍ରିକେଟପ୍ରେମୀ ଦେଖିବା ପରେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବର୍ଷର୍ା ପାଇଁ ନୁହେଁ ବରଂ ଇଂଲଣ୍ଡ ବ୍ୟାଟସମ୍ୟାନ୍ ଜୋ ରୁଟଙ୍କ ନାକରୁ ଅଚାନକ ରକ୍ତ ବାହାରିବାରୁ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରିଥିଲେ ଅମ୍ପାୟାର ।

ମ୍ୟାଚର ୨୬ ତମ ଓଭରରେ ଜୋ ରୁଟ୍ ବ୍ୟାଟିଂ କରୁଥିବା ବେଳେ ଅଚାନକ ତାଙ୍କ ନାକରୁ ରକ୍ତ ବାହାରିଥିଲା । ତେବେ ହଠାତ୍ ଜୋ ରୁଟଙ୍କ ନାକରୁ ରକ୍ତ ବାହାରିବା ଇଂଲଣ୍ଡ ଶିବିରରେ ଛନକା ଭରି ଦେଇଥିଲା । ଇଂଲଣ୍ଡର ଫିଜିଓ ତୁରନ୍ତ ପଡିଆରେ ପହଞ୍ଚି ଜୋ ରୁଟଙ୍କ ଚିକିତ୍ସା କରିଥିଲେ । ଆଉ ଏହାର କିଛି ସମୟ ମଧ୍ୟରେ ନାକରୁ ରକ୍ତ ବାହାରିବା ମଧ୍ୟ ବନ୍ଦ ହୋଇଯାଇଥିଲା । ତେବେ କେଉଁ କାରଣ ପାଇଁ ଜୋ ରୁଟଙ୍କ ନାକରୁ ରକ୍ତ ବାହାରିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ନାକରୁ ରକ୍ତ ବନ୍ଦ ହେବା ପରେ ପୁଣିଥରେ ବ୍ୟାଟିଂ ଜାରି ରଖିଥିଲେ ଜୋ ରୁଟ୍ ।

ଚଳିତ ବିଶ୍ୱକପରେ ଜବରଦସ୍ତ ଫର୍ମରେ ରହିଛନ୍ତି ଜୋ ରୁଟ୍ । ଇଂଲଣ୍ଡର ପ୍ରଥମ ଖେଳାଳି ଭାବେ ଚଳିତ ବିଶ୍ୱକପରେ ୫୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି ରୁଟ୍ । ଯେଉଁଥିରେ ଦୁଇଟି ମ୍ୟାଚ୍ ବିଜୟୀ ଶତକ ରହିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି ଜୋ ରୁଟ୍ । ୨୫ଟି ବଲରୁ ମାତ୍ର ୨୪ ରନ୍ କରିବା ସହ ପ୍ୟାଭିଲିୟନ ଫେରିଛନ୍ତି ଜୋ ରୁଟ୍ ।