କନକ ବ୍ୟୁରୋ : ଆମେରିକା ଟାର୍ଗେଟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଆମେରିକାବାସୀଙ୍କୁ ସମ୍ବୋଧିତ କରି ପୁଟିନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ଋଷିଆର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କହିଛନ୍ତି ବାଇଡେନ୍ । ସାରା ବିଶ୍ୱରେ ଋଷିଆ କିଭଳି ଏକଘରିକିଆ ହୋଇଯାଇଛି ସେନେଇ ସୂଚନା ଦେଇଛନ୍ତି । ଋଷିଆ ବିରୋଧରେ ନିଆଯାଇଥିବା ତମାମ ପଦକ୍ଷେପ ବାବଦରେ ସୂଚନା ଦେବସହ ୟୁକ୍ରେନକୁ କିଭଳି ସହାୟତା କରାଯାଇ ପାରିବ ସେନେଇ ଦେଶବାସୀଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ।

Advertisment

ବାଇଡେନଙ୍କ ୧୦ ବଡ ଘୋଷଣା :-

- ଆମେରିକା ବାୟୁସୀମାରେ ପ୍ରବେଶ କରିପାରିବ ନାହିଁ ରୁଷିଆ ବିମାନ । ଏ ପର୍ଯ୍ୟନ୍ତ ଅନେକ ନାଟୋ ସଦସ୍ୟ ରାଷ୍ଟ୍ର ଏଭଳି ପଦକ୍ଷେପ ନେଇ ସାରିଛନ୍ତି
- ରାଷ୍ଟ୍ରପତି ପୁଟିନଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ସାରାବିଶ୍ୱରେ ଏକଘରିକିଆ ହୋଇଯାଇଛି ଋଷିଆ । ଇତିହାସରେ ଏହି ଯୁଦ୍ଧ ଏକ କଳାଦାଗ ହୋଇ ରହିବ
- ୟୁକ୍ରେନ ବିରୋଧରେ ଯୁଦ୍ଧ କାରଣରୁ ରୁଷିଆର ଅର୍ଥନୀତି ସଂପୂର୍ଣ୍ଣ ଭୁଷୁଡି ପଡିଛି । ଏଥିପାଇଁ ସଂପୂର୍ଣ୍ଣ ଭାବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହିଁ ଦାୟୀ
- ଯୁଦ୍ଧର ପରିଣାମ କଣ ହେବ, ତାକୁ ଆକଳନ କରିପାରିଲେ ନାହିଁ ରୁଷିଆ ରାଷ୍ଟ୍ରପତି । କାରଣ ୟୁକ୍ରେନରେ କେବଳ ସେନା ସହ ଲଢେଇ କରୁନାହିଁ ଋଷିଆ, ବରଂ ସେଠାକାର ଲୋକଙ୍କ ସହ ଲଢେଇ ହେଉଛି
- ଯଦିଓ ଆମେରିକା ସିଧାସଳଖ ଯୁଦ୍ଧରେ ସାମିଲ ହେବ ନାହିଁ । କିନ୍ତୁ ଋଷିଆ ବିରୋଧରେ ସବୁପ୍ରକାର କଟକଣା ଲଗାଇବାକୁ ନିଷ୍ପତି କରିସାରିଛି ଆମେରିକା
- ତେବେ ନାଟୋକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ନାଟୋ ସଦସ୍ୟ ରାଷ୍ଟ୍ରର ଇଂଚେ ମଧ୍ୟ ଜାଗା ଅକ୍ତିଆର କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବାଇଡେନ୍
- ଏକଛତ୍ରବାଦୀଙ୍କୁ ନିଜ କୁକର୍ମର ପରିଣାମ ଭୋଗିବାକୁ ନପଡିଲେ ସେମାନେ ଅଧିକ ଆକ୍ରମଣାତ୍ମକ ହୋଇପଡନ୍ତି । ଫଳରେ ଏହାର ଫଳ ଆମେରିକା ଓ ପୁରାବିଶ୍ୱକୁ ଭୋଗିବାକୁ ପଡେ
- ଏଭଳି ସଂକଟଜନକ ସ୍ଥିତିରେ ଆମେରିକା ଏହାର ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହିତ ମଜଭୂତିର ସହ ଛିଡା ହୋଇଛି
- ଋଷିଆକୁ ଶିକ୍ଷା ଦେବା ପାଇଁ ଏକାଠି କାମ କରୁଛନ୍ତି ୟୁରୋପୀୟ ସଂଘ । ଋଷିଆର ଶାସକଙ୍କ ବିମାନ, ଯାହାଜ, ଓ ବିଳାଶପୂର୍ଣ୍ଣ ଅଟ୍ଟାଳିକା ଆଦିକୁ ଜବତ କରାଯାଉଛି
- କରୋନା ସମୟରେ ସାରାବିଶ୍ୱର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ଏଭଳି ସ୍ଥିତିରେ ସମସ୍ତେ ଏକାଠି ମିଶି କାମ କରିବା ଉଚିତ । ବିଶ୍ୱରେ ଯୁଦ୍ଧ ଭଳି ଜରୁରୀପରିସ୍ଥିତି ଲଦି ଦେଇହେବ ନାହିଁ