କରୋନାକୁ ନେଇ ଜୋ ବାଇଡେନଙ୍କ କଡା ଆଭିମୁଖ୍ୟ । କରୋନାର ଉତ୍ପତିକୁ ନେଇ ଇଂଟିଲିଜେନ୍ସ ଏଜେନ୍ସୀକୁ ଦେଲେ ତଦନ୍ତ ନିର୍ଦ୍ଦେଶ । କହିଲେ ୩ ମାସ ଭିତରେ ରିପୋର୍ଟ ଦିଅ

303

କନକ ବ୍ୟୁରୋ: ନୋବେଲ କରୋନା ଭାଇରସ ପଶୁଙ୍କ ଦେହରୁ ମଣିଷକୁ ସଂକ୍ରମିତ କଲା ନା ଚୀନର ଉହାନ ଲ୍ୟାବରେ ପ୍ରସ୍ତୁତ କରାଗଲା । ଏହି ପ୍ରଶ୍ନର ଉତର ଏଯାଏଁ ମିଳିନାହିଁ । କରୋନାର ଉତ୍ପତି ଉତ୍ପତିସ୍ଥଳକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ଇଂଟିଲିଜେନ୍ସ ସଂସ୍ଥାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କରୋନା ପଶୁଙ୍କ ଦେହରୁ ନା ଉହାନ ଲ୍ୟାବରେ ପ୍ରସ୍ତୁତ ହୋଇଥିଲା ତାହାର ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ।

– ଜୋ ବାଇଡେନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ତଦନ୍ତ କରି ୯୦ ଦିନ ଭିତରେ ରିପୋର୍ଟ ଦିଅ
– ଏହି ତଦନ୍ତରେ ଆମେରିକା ଇଣ୍ଟିଲିଜେନ୍ସ ଏଜେନ୍ସିକୁ ସହଯୋଗ କରିବ ନେସନାଲ ଲ୍ୟାବ ଏଜେନ୍ସି
– କରୋନାର ଉତ୍ପତିକୁ ନେଇ ଅନ୍ତର୍ଜାତୀୟ ତଦନ୍ତରେ ସହଯୋଗ କରିବା ପାଇଁ ଚୀନକୁ ଅପିଲ କରିଛନ୍ତି ବାଇଡେନ
– କରୋନାର ଉତ୍ପତିକୁ ନେଇ ଦୁଇ ପ୍ରକାର ଥିଓରୀ ସାମ୍ନାକୁ ଆସିଛି । ଗୋଟିଏ ପଶୁ ଦେହରୁ ଓ ଅନ୍ୟଟି ଲ୍ୟାବ ଦୁର୍ଘଟଣାରୁ କରୋନା

ଭୂତାଣୁ ଆସିଥିବା କୁହାଯାଉଛି । ଏହି ଦୁଇଟି ଥିଓରି ଉପରେ ପ୍ରମାଣ ମିଳିନଥିବାରୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆମେରିକା ଉହାନ ଲ୍ୟାବ ଦୁର୍ଘଟଣାରୁ କରୋନା ଭୁତାଣୁର ଉତ୍ପତି ଭଳି ମିଛ ପ୍ରଚାର କରି ଷଡଯନ୍ତ୍ର ରଚୁଥିବା ଅଭିଯୋଗ ଆଣିଛି ଚୀନ । ଜିନିପିଙ୍ଗ ସରକାରଙ୍କ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜାନ କହିଛନ୍ତି, ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତି ଅପମାନ । କାରଣ ଡବ୍ଲୁଏଚଓ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ ଟିମ ଉହାନ ଯାଇ ଲ୍ୟାବର ଯାଂଚ କରି ରିପୋର୍ଟ ଦେଇସାରିଛନ୍ତି । ରିପୋର୍ଟରେ ଲ୍ୟାବ ଦୁର୍ଘଟଣାରୁ କରୋନା ବ୍ୟାପିଥିବା ଭଳି ସମ୍ଭାବନାକୁ ଖାରଜ କରାଯାଇଛି । ତେଣୁ ଏଭଳି ସମୟରେ ଆମେରିକାର ଷଡଯନ୍ତ୍ର କୋଭିଡ ବିରୋଧରେ ଲଢେଇ କରୁଥିବା ସାରାବିଶ୍ୱର ମନୋବଳକୁ ଭାଙ୍ଗିଦେବ ବୋଲି କହିଛନ୍ତି ଝାଓ ଲିଜାନ ।

କରୋନାର ଉତ୍ପତିକୁ ନେଇ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପରେ ଚର୍ଚାକୁ ଆସିଥିଲା ଉହାନ ଭାଇରୋଲୋଜି ଲାବ । ରିପୋର୍ଟରେ କୁହାଯାଇଥିଲା କରୋନା ମହାମାରୀ ଚିହ୍ନଟର ଏକ ମାସ ପୂର୍ବରୁ ନଭେମ୍ବର ୨୦୧୯ରେ ଲ୍ୟାବର ୩ ଜଣ କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବାରୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେଣୁ ଉହାନ ଲ୍ୟାବରୁ କରୋନା ବ୍ୟାପିଥିବା ସନ୍ଦେହ କରାଯାଉଛି । ହେଲେ ଚୀନକୁ ଏହାକୁ ଲଗାତାର ଖାରଜ କରି ଆସୁଛି ।