ଜୋ-ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି: ପେନସିଲଭାନିଆରେ ବିଜୟ ପରେ ବାଇଡେନ୍ ଟପିଲେ ମ୍ୟାଜିକ ନମ୍ବର; ପ୍ରଥମ କୃଷ୍ଣକାୟ ମହିଳା କମଳା ହାରିସ ହେବେ ଉପରାଷ୍ଟ୍ରପତି

ସେପଟେ ଟ୍ରମ୍ପ କହିଲେ ବହୁ ଭୋଟରେ ହୋଇ ସାରିଛି ବିଜୟ

211

କନକ ବ୍ୟୁରୋ: ଆମେରିକାକୁ ମିଳିଲା ନୂଆ ରାଷ୍ଟ୍ରପତି । ବିଜୟୀ ହୋଇଛନ୍ତି ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍ । ପେନସିଲଭାନିଆରେ ବିଜୟୀ ହେବା ପରେ ବାଇଡେନ୍ ମ୍ୟାଜିକ ନମ୍ବର ଟପି ଯାଇଛନ୍ତି । ବହୁମତ ପାଇଁ ୨୭୦ ଇଲେକଟୋରାଲ ଭୋଟ ରହିଥିବାବେଳେ ଶେଷ ଖବର ସୁଦ୍ଧା ବାଇଡେନଙ୍କୁ ୨୭୩ ଭୋଟ ମିଳି ସାରିଛି । ତେବେ କିଛି ଗଣମାଧ୍ୟମରେ ୨୯୦ ଇଲେକଟୋରାଲ ଭୋଟ ମିଳିଥିବା ମଧ୍ୟ ନେଇ ଖବର ଆସୁଛି । ସେପଟେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲୋକ୍ଟରାଲ ଭୋଟ୍ ସହିତ ବହୁତ ପଛରେ ରହିଥିଲେ ବି ନିଜର ବିଜୟ ଦାବିକୁ ଦୋହରାଇଛନ୍ତି ।

ବାଇଡେନଙ୍କ ବିଜୟ ସହ ଆମେରିକାରେ ଏକ ନୁଆ ଅଧ୍ୟାୟ ଆରମ୍ଭ ହୋଇଛି । ହ୍ୱାଇଟ ହାଉସରେ ଟ୍ରମ୍ପ ଶାସନର ଅନ୍ତ ଘଟିଛି ଓ ଡେମୋକ୍ରାଟିକ ଦଳ ପୁଣି କ୍ଷମତାକୁ ଫେରିଛି । ସେହିପରି ୧୯୯୨ ମସିହା ପରେ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପ୍ରତି ନିର୍ବାଚିତ ନହେବାର ପ୍ରଥମ ରାଷ୍ଟ୍ରପତି ବିବେଚିତ ହୋଇଛନ୍ତି । ବିଜୟୀ ହେବା ପରେ ବାଇଡେନ୍ ଦେଶବାସୀଙ୍କୁ ତାଙ୍କର କୃତଜ୍ଞତା ଜଣାଇଛନ୍ତି । ଦେଶବାସୀଙ୍କ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି, ସମସ୍ତ ଆମେରିକାବାସୀଙ୍କର ରାଷ୍ଟ୍ରପତି ଭାବେ ସେ କାମ କରିବେ । ଦେଶ ଏକଜୁଟ ହୋଇ ଆଗକୁ ବଢିବାକୁ ହେବ ବୋଲି ବାଇଡେନ କହିଛନ୍ତି । ଏଥିସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହି ପଦବି ଗ୍ରହଣ କରିବା ସେ ହେବେ ଆମେରିକାର ପ୍ରଥମ ମହିଳା ।

ଗୋଟିଏ ପଟେ ବାଇଡେନଙ୍କ ବିଜୟ ନେଇ ଆନ୍ତର୍ଜାତୀୟ ଖବର ପ୍ରକାଶ ପାଉଥିବାବେଳେ ଟୁଇଟ୍ କରି ପୁଣି ଦ୍ୱନ୍ଦ୍ୱ ବଢ଼ାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ବହୁ ଭୋଟରେ ସେ ବିଜୟୀ ହୋଇ ସାରିଛନ୍ତି । ନିର୍ବାଚନରେ ପରାଜୟ ସ୍ୱୀକାର କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି । କହିଛନ୍ତି ଭୋଟ ଗଣତି ବାକି ଥିବା ବେଳେ ବାଇଡେନ୍ ନିଜକୁ ରାଷ୍ଟ୍ରପତି ଘୋଷଣା କରିବାକୁ ଏତେ ତରବର କାହିଁକି । ତେଣୁ ବାଇଡେନଙ୍କ ବିଜୟ ଘୋଷଣା ବେଆଇନ । ନିର୍ବାଚନରେ ଜାଲିଆତି ଏବଂ ଇ-ବାଲାଟ ଅନିୟମିତତା ବିରୋଧରେ ଆଇନଗତ ଲଢେଇ ଜାରି ରହିବ ବୋଲି ଟ୍ରମ୍ପ କହିଛନ୍ତି ।

ବିଜୟୀ ହେବା ପରେ ଏକ ଭିଡିଓ ଟୁଇଟ୍ କରିଛନ୍ତି ଜୋ ବାଇଡେନ୍ । ଏହି ଭିଡିଓରେ ଆମେରିକାର ବିବିଧ ସଂସ୍କୃତିକୁ ପ୍ରଦର୍ଶିତ ହୋଇଛି  । ସୁଇଟ୍ ଆମେରିକା, ଭାଇଚାରାର ଆମେରିକା ଭାବେ ଏଥିରେ ଦେଶକୁ ପ୍ରଦର୍ଶିତ କରିଛନ୍ତି ବାଇଡେନ୍ ।