କନକ ବ୍ୟୁରୋ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍। ୱାସିଂଟନ୍ ଡିସିସ୍ଥିତ ସଂସଦ ଭବନ କ୍ୟାପିଟଲରେ ଆମେରିକୀୟ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଜନ୍ ରବର୍ଟସ ନବନିଯୁକ୍ତ ରାଷ୍ଟ୍ରପତି ବାଇଡେନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବେ ହ୍ବାଇଟ୍ ହାଉସକୁ ପ୍ରବେଶ କରିଛନ୍ତି ବାଇଡେନ୍। ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିବା ବାଇଡେନଙ୍କୁ ବର୍ତ୍ତମାନ ବୟସ ୭୮ ବର୍ଷ। ଆପଣ ଜାଣିଲେ ବିସ୍ମିତ ହେବେ ଯେ ରାଷ୍ଟ୍ରପତି ଆସନ ହାସଲ କରି ବାଇଡେନ୍ ତାଙ୍କ ୫୦ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି।

Advertisment

publive-image

ଆମେରିକାର ରାଷ୍ଟ୍ରପତି ହେବାକୁ ଜୋ ସାରା ଜୀବନ ସ୍ବପ୍ନ ଦେଖୁଥିଲେ। ଏ ସଂକ୍ରାନ୍ତରେ ସେ ୧୯୮୦ରେ ଗୁରୁତ୍ବର ସହ ବିଚାର କରିଥିଲେ। ୧୯୮୪ରେ କାଗଜପତ୍ରରେ ଦସ୍ତଖତ କରି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରି ନ ଥିଲେ। ପୁଣି ୧୯୮୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ କାଗଜପତ୍ର ଦାଖଲ କରିଥିଲେ କିନ୍ତୁ, ଏକ ଦୁର୍ନୀତି ମାମଲା କାରଣରୁ ତାହା ସମ୍ଭବ ହେଲାନାହିଁ। ୨୦୦୮ରେ ସେ ପୁଣି ଥରେ ଚେଷ୍ଟା କରିଥିଲେ। କିନ୍ତୁ, ତାଙ୍କୁ ବାରାକ୍‌ ଓବାମାଙ୍କ ସହ ଉପରାଷ୍ଟ୍ରପତି ଭାବେ ଚୟନ କରାଯାଇଥିଲା।

ଆମେରିକାର ସ୍କ୍ରାନଟନ୍‌ ସହର ପାଖ ଗ୍ରିନ୍‌ ରିଜରେ ବଢ଼ିଥିବା ଜୋ ପିଲାଦିନେ ଥିଲେ ଖୁବ୍‌ ଦୁଃସାହସୀ। ଉତ୍ତପ୍ତ କୋଇଲା ଗଦା ଉପରେ ଚଢ଼ି ଓଜନିଆ କଳକବଜା ତଳେ ଗଳି ସେ ଅନେକଥର ଖଣ୍ଡିଆ ଖାବରା ହୋଇଥିଲେ। ତାଙ୍କର ପାଟି ମଧ୍ୟ ଲାଗୁଥିଲା। ତାଙ୍କୁ ଚିଡ଼େଇବାକୁ ଜଣେ ସ୍କୁଲ୍‌ ଶିକ୍ଷକ ‘ବାଇ ବାଇ ବ୍ଲାକବାର୍ଡ’ ବୋଲି କହୁଥିଲେ। ଏ ଅପମାନକୁ ସହ୍ୟ କରି ‘ଜୋ’ ନିଜ ଉଦ୍ୟମ ବଳରେ ସ୍ପଷ୍ଟ ଭାବେ କଥା କହିବା ସହ ଜଣେ ସୁବକ୍ତା ହୋଇପାରିଲେ।

ବାପାଙ୍କ କାମ ଯୋଗୁଁ ୧୦ ବର୍ଷ ବୟସରୁ ଜୋ ସ୍କ୍ରାନଟନରୁ ଯାଇ ତାଙ୍କ ନୂଆଘର ଡିଲାୱେରରେ ରହିଲେ। ସେଠାରେ କ୍ରମେ ସେ ଜଣେ ନେତା ପାଲଟି ଗଲେ। ରାଜନୈତିକ ବ୍ୟାପାରରେ ଧୁରନ୍ଧର ହୋଇ ଛଅଥର ସିନେଟକୁ ନିର୍ବାଚିତ ହେଲେ । ତା’ପରେ ବାରାକ୍‌ ଓବାମାଙ୍କ ସହ ୱାସିଂଟନ୍‌ ଡିସିକୁ ଗଲେ। ଜୀବନ କ’ଣ ତାହା ନିଜ ବାପାଙ୍କୁ ଦେଖି ଶିଖିଥିଲେ ‌ ବାଇଡେନ୍ । ପ୍ରତିଦିନ ସକାଳୁ ଉଠି ବାପା କାମକୁ ଯାଆନ୍ତି, ଯେଉଁ କାମ ବାପାଙ୍କୁ ‌ଆଦୌ ଭଲ ଲାଗୁ ନ ଥିଲା ବାପା ତାଙ୍କୁ ଶିଖାଇ ଥିଲେ ବଞ୍ଚିବାର କଳା, ଜିଇଁବାର କୌଶଳ । ବାଇଡେନଙ୍କ ବାପା ସବୁବେଳେ କୁହନ୍ତି ‘‘ବଞ୍ଚିବାର ରହସ୍ୟ ହେଲା ଧକ୍କା ଖାଇ ପଡ଼ିଯିବା ପରେ ପୁଣି ଉଠିପଡ଼ିବା’’

publive-image

୧୯୭୨ରେ ୨୯ ବର୍ଷ ବୟସରେ ଜୋ ପ୍ରଚଣ୍ଡ ଧକ୍କା ଖାଇଥିଲେ। ଯେଉଁ ବର୍ଷ ସେ ଆମେରିକା ଇତିହାସରେ ପଞ୍ଚମ ସର୍ବକନିଷ୍ଠ ସିନେଟର୍‌ ହୋଇଥିଲେ। ୱାସିଂଟନରେ ସେ ଆସନ ଅଳଙ୍କୃତ କରିବା ପୂର୍ବରୁ ତାଙ୍କ ପତ୍ନୀ ନିଲିଆ ଏବଂ ଟିକିଝିଅ ନାଓମି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ପୁଅ ବିଉ ଓ ହଣ୍ଟର୍‌ ମଧ୍ୟ ଏହି ଦୁର୍ଘଟଣାରେ ସାଙ୍ଘାତିକ ଆହତ ହୋଇଥିଲେ। କିଛି ଦିନ ଲାଗି ଜୋ ନିଜର ସମସ୍ତ ଅଭିଳାଷ ପରିହାର କ‌ରିଥିଲେ। ଏଇ ଘଟଣାରୁ ମଧ୍ୟ ସେ ବୁଝିପାରିଥିଲେ ଜଣେ ସଚେତନ ଅବସ୍ଥାରେ କିଭଳି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନିଏ। କିନ୍ତୁ, ବାପାଙ୍କ ଶିକ୍ଷା ଅନୁସାରେ, ଜୋ ‘ଉଠିଲେ’ ଓ ‘ଆଗେଇ ଚାଲିଲେ’। ଦିନରେ ସେ ହେଲେ ସିନେଟର୍‌ ଓ ରାତିରେ ଦୁଇ ପୁଅଙ୍କର ସ୍ନେହୀ ବାପା। ଦୁଇ ପୁଅଙ୍କ ଲାଗି ସେ ପ୍ରତି ରାତିରେ ‌୧୫୦ କିଲୋମିଟର୍ ଦୂରରେ ଥିବା ଘରକୁ ଯାଉଥିଲେ।

ବାଇଡେନଙ୍କ ଜୀବନରେ ପରବର୍ତ୍ତୀ ଧକ୍କା ଆସିଥିଲା ୧୯୮୮ ମସିହାରେ। ଦୁଇ ଥର ଧମନୀଜନିତ ରୋଗରେ ପୀଡ଼ିତ ହୋଇ କିଛି ଦିନ ପାଇଁ ତାଙ୍କ ମୁହଁର ମାଂସପେଶୀ ସ୍ଥାଣୁ ହୋଇଯାଇଥିଲା। ଏହା ପରବର୍ତ୍ତୀ ଧକ୍କା ଆସିଲା ୨୦୧୫ରେ। ମସ୍ତିସ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପୁଅ ବିୟୁ ମୃତ୍ୟୁ ବରଣ କଲା। ଏହାପରେ ଆମେରିକା ନୌସେନାରେ କାର୍ଯ୍ୟରତ ପୁଅ ହଣ୍ଟର୍‌ ନିଶା ଔଷଧ ସେବନ କରୁଥିବାରୁ ଚାକିରିରୁ ବିତାଡ଼ିତ ହେଲା। ବିୟୁ ମୃତ୍ୟୁବେଳକୁ ଜୋ ଦ୍ବିତୀୟ ଥର ଆମେରିକାରର ଉପରାଷ୍ଟ୍ରପତି ହୋଇଥାଆନ୍ତି। ବିୟୁର ମୃତ୍ୟୁଯୋଗୁଁ ସେ ୨୦୧୬ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଆସିଥିଲେ। ଆଉ ଏବେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସାରା ବିଶ୍ୱ ପଢୁଛି ବାଇଡେନଙ୍କ ଜୀବନୀ ।