ଆଫଗାନିସ୍ତାନ୍ ସ୍ଥିତି ନେଇ ବାଇଡେନ୍-ଜିନପିଙ୍ଗ ଆଲୋଚନା

201

୭ ମାସ ମଧ୍ୟରେ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପ୍ରଥମ କରି ଟେଲିଫୋନ୍‌ରେ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ ଆଳାପ କରି କହିଛନ୍ତି ଯେ, ଆମେରିକା-ଚୀନ୍‌ ପ୍ରତିଯୋଗିତା ‘ସଂଘର୍ଷ’କୁ ଆମନ୍ତ୍ରଣ କରିବା ଅନୁଚିତ ।

ହ୍ବାଇଟ୍‌ ହାଉସ୍‌ ଜାରି କରିଥିବା ବିବୃତି ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରି କା ଓ ଚୀନ୍‌ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ସମ୍ବନ୍ଧରେ ମୁକ୍ତ ତଥା ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବା ଲାଗି ଉଭୟ ଜୋ ବାଇଡେନ୍‌ ଏବଂ ସି ଜିନ୍‌ପିଙ୍ଗ୍‌ ରାଜି ହୋଇଛନ୍ତି । ରାଷ୍ଟ୍ରପତି ସ୍ପଷ୍ଟ କରି କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପିପୁଲସ୍‌ ରିପବ୍ଲିକ୍‌ ଅଫ୍ ଚାଇନା ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ଦାୟିତ୍ବର ସହ ପରିଚାଳନା କରିବା ନିମନ୍ତେ ଏହି ଆଲୋଚନା ହେଉଛି ଆମେରିକା ଚଳାଇଥିବା ଉଦ୍ୟମର ଅଂଶବିଶେଷ ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହୀ ବୋଲି ରାଷ୍ଟ୍ରପତି ବାଇଡେନ୍‌ ଗୁରୁତ୍ବାରୋପ କରିଛନ୍ତି । ଏହା ବ୍ୟତିରେକେ, ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଯେମିତି ସଂଘର୍ଷର ମୋଡ଼ ନ ନିଏ ସେଥିପ୍ରତି ସମଗ୍ର ବିଶ୍ବ ଏବଂ ଦୁଇ ନେତା ଦାୟିତ୍ବବାନ୍‌ ହେବା ଉଚିତ ବୋଲି ସେମାନେ ଆଲୋଚନା କରିଛନ୍ତି ।

ଅପରପକ୍ଷରେ, ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି ଯେ, ସି ଜିନ୍‌ପିଙ୍ଗ୍ ଏବଂ ଜୋ ବାଇଡେନ୍‌ ଅବାଧରେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍‌’ କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଆମନ୍ତ୍ରଣକ୍ରମେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଜୋ ବାଇଡେନ୍‌ଙ୍କ ସହ ଟେଲିଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି । ଏଥିରେ ସେମାନେ ସ୍ପଷ୍ଟ ଭାବେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ବ୍ୟାପକ ଦ୍ବିପାକ୍ଷିକ ସହଯୋଗ ସମ୍ବନ୍ଧୀୟ ଯୋଗସୂତ୍ର, ଚୀନ୍‌-ଆମେରିକା ସମ୍ପର୍କ ଏବଂ ପାରସ୍ପରିକ ସହଯୋଗିତା ସଂକ୍ରାନ୍ତରେ କଥାବାର୍ତ୍ତା କରିଛନ୍ତି ।