କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ ବାହାର ହେଲେ ଜୋ ବାଇଡେନ୍ । ରାଷ୍ଟ୍ର ଉଦ୍ଦେଶ୍ୟରେ ଚିଠି ଲେଖି ବାଇଡେନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ବାଇଡେନ ଚିଠିରେ ଉଲ୍ଲେଖ କରିଛନ୍ତି ।
ଚିଠିରେ ବାଇଡେନ ଲେଖିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବେ ସେବା କରିବା ଜୀବନର ସବୁଠୁ ସମ୍ମାନର ବିଷୟ । ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ମୋର ଇଛା ଥିଲା । କିନ୍ତୁ ଦେଶ ଓ ଡେମୋକ୍ରାଟିକ ପାର୍ଟିର ହିତକୁ ଅଖିରେ ରଖି ପୁଣି ଥରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି । କେବଳ ରାଷ୍ଟ୍ରପତି ଭାବେ କାର୍ୟ୍ୟକାଳ ପୂରା କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଚିଠିରେ ଲେଖିଛନ୍ତି ଜୋ ବାଇଡେନ । ଏଥିସହ ଚଳିତ ସପ୍ତାହରେ ଦେଶବାସୀଙ୍କୁ ସମ୍ୱୋଧନ କରିବେ ବୋଲି ବାଇଡେନ କହିଛନ୍ତି ।
ବାଇଡେନ ଏହି ଘୋଷଣା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ରେସରେ ଥିବା ଉପରାଷ୍ଟ୍ରପତି କମଳା ହାରିସଙ୍କ ପାଇଁ ବାଟ ଫିଟିଛି । ବୟସ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନା ନାହିଁ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଦିନ ତଳେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଲାଇଭ ଡିବେଟ ବେଳେ ବାଇଡେନ ପଛରେ ପଡ଼ିଯାଇଥିଲେ । ଏପରିକି ଟ୍ରମ୍ପଙ୍କ ଆରୋପକୁ ମଧ୍ୟ ସଠିକ୍ ଢଙ୍ଗରେ କାଉଣ୍ଟର କରିପାରିନଥିଲେ । ଏହାପରଠୁ ଡେମୋକ୍ରାଟିକ ପାର୍ଟିର ଗୋଟିଏ ଗୋଷ୍ଠୀ ବାଇଡେନ ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବାକୁ ଚାପ ପକାଇଥିଲେ । ଦଳୀୟ ଚାପ, ବୟସାଧିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ନଭେମ୍ୱର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ ତା ଉପରେ ସାରା ବିଶ୍ୱର ନଜର ରହିଛି ।