ଟୀକା ନିଅନ୍ତୁ, ବିୟର ପିଅନ୍ତୁ… ! ଟୀକା ନେଲେ ମାଗଣାରେ ମିଳିବ ବିୟର । ଜାଣନ୍ତୁ କେଉଁଠି ଲାଗୁ ହେଲା ଏମିତି ନିୟମ ?

325

କନକ ବ୍ୟୁରୋ : ଟୀକା ନିଅନ୍ତୁ, ବିୟର ପିଅନ୍ତୁ । ଟୀକା ନେଲେ ମାଗଣାରେ ମିଳିବ ବିୟର । କରୋନା ଟୀକା ନେଲେ ଆପଣଙ୍କୁ ମାଗଣାରେ ବିୟର ମିଳିବ । ଆଶ୍ଚର୍ଯ୍ୟ ହୋଇଗଲେ ନା…କିନ୍ତୁ ଏହା ସହ । ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣଙ୍କ ବିୟର ମିଳିବ । ଏଭଳି କିଛି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେରିକୀୟଙ୍କୁ କରୋନା ଟୀକା ଦେବା ଲାଗି ମାଗଣା ବିୟର ବ୍ୟବସ୍ଥା କରିଛନ୍ତି ଆମେରିକା ରାଷ୍ଟ୍ରପତି ।

କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ପୂରା ବିଶ୍ୱରେ କାୟା ମେଲାଇଥିବା ବେଳେ, ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ପ୍ରାୟତଃ ସବୁ ଦେଶ କଟକଣା ଜାରି କରିଛନ୍ତି । ବିଶେଷ କରି ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ତେବେ କରୋନା ବିରୋଧୀ ଯୁଦ୍ଧରେ ସବୁଠୁ ବଡ଼ ଅସ୍ତ୍ର ହେଉଛି ଟୀକା । ସେଥିପାଇଁ ପୂରା ବିଶ୍ୱରେ ଚାଲିଛି ଟୀକାଦାନ ପ୍ରକ୍ରିୟା ।

ତେବେ ଏହି ଟୀକା ଦାନ ପ୍ରକ୍ରିୟାରେ ସାମିଲ ହୋଇ ଅନେକ ଲୋକ ଟୀକା ନେଉଥିବା ବେଳେ, କିଛି ଏମିତି ବି ଲୋକ ରହିଛନ୍ତି, ଯେଉଁମାନେ ଟୀକା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି କିମ୍ବା ଭୟ କରୁଛନ୍ତି । ତେବେ ଲୋକଙ୍କ ଭିତରେ ଟୀକା ନେବାକୁ ଉତ୍ସାହ ଆଣିବା ପାଇଁ କିଛି ଏଭଳି ନିଆରା ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ଅଧିକରୁ ଅଧିକ ଆମେରିକୀୟମାନଙ୍କୁ ଟୀକା ଦିଆଯିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍ ‘ଅଭିଜାନ ମାସ’ ଘୋଷଣା କରିଛନ୍ତି । ଏହି ଅଭିଜାନ ହେଉଛି ଟୀକା ଦାନର । ତେବେ ଏହି ଅଭିଜାନରେ ଯେଉଁ ବ୍ୟକ୍ତିବିଶେଷ ଟୀକା ନେବେ, ତାଙ୍କୁ ହ୍ୱାଇଟ୍ ହାଉସ୍ ତରଫରୁ ମାଗଣାରେ ବିୟର ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି ।

ହ୍ୱାଇଟ୍ ହାଉସରେ ଆମେରିକାର ଟୀକାକରଣ ଯୋଜନାର ସଦ୍ୟତମ ରିପୋର୍ଟ ଘୋଷଣା କରିବା ସହ ସ୍ୱାଧୀନତା ଦିବସ ପୂର୍ବରୁ ୭୦ ପ୍ରତିଶତ ପ୍ରାପ୍ତ ବୟସ୍କଙ୍କୁ ଟୀକା ଦେବା ଲାଗି ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ । ତେବେ କିଭଳି ପ୍ରାକ୍-ମହାମାରୀ ଅବସ୍ଥାକୁ ଦେଶକୁ ଫେରାଇ ଅଣାଯାଇପାରିବ, ସେନେଇ ଗୁରୁତ୍ୱାରୋପ କରିଛନ୍ତି ବାଇଡେନ୍ ।

ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ଆମେରିକୀୟମାନଙ୍କୁ ଟୀକା ନେବା ଲାଗି ଉତ୍ସାହିତ କରିବା ପାଇଁ, ଏହି ଅଭିଜାନ ମାସରେ ସରକାରୀ ଏବଂ ବେସରକାରୀ ସହଯୋଗିତା ଉପଯୋଗ କରାଯିବ । ଟୀକାକରଣର ଉପକାରିତା ଏବଂ ଟିକା ନେବା ଲାଗି ବାର୍ତା ପ୍ରସାର କରିବା ପାଇଁ ଏହି ଅଭିଜାନରେ ବ୍ୟବସାୟିକ ପ୍ରତିଷ୍ଠାନ, ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ, କଲେଜ୍, ସେଲିବ୍ରିଟି ଏବଂ ଗୋଷ୍ଠୀକେନ୍ଦ୍ରିକ ପ୍ରତିଷ୍ଠାନଗୁଡିକୁ ସାମିଲ କରାଯିବ ।