ଭାରତୀୟ ବଂଶୋଦ୍ଭବ ରାଶଦ ହୁସେନଙ୍କୁ ବାଇଡେନଙ୍କ ବଡ ଦାୟିତ୍ୱ । ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ପାଇଁ ମିଳିଲା ‘ଆମ୍ବାସେଡର ଆଟ ଲାର୍ଜ’ ପଦ

148

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଭାରତୀୟ ବଂଶୋଦ୍ଭବ ରାଶଦ ହୋସେନଙ୍କୁ ଅର୍ନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ପାଇଁ ‘ଆମ୍ବାସେଡର ଆଟ ଲାର୍ଜ’ ପଦରେ ଅବସ୍ଥାପିତ କରିଛନ୍ତି । ଏଭଳି ମହତ୍ୱପୂର୍ଣ୍ଣ ପଦ ପାଇବାରେ ହୋସେନ ହେଉଛନ୍ତି ପ୍ରଥମ ମୁସିଲିମ ଓ ଭାରତୀୟ ବଂଶୋଦ୍ଭବ । ରାଶଦ ହୋସେନ ଏବେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଭାଗିଦାରୀ ଓ ନିଯୁକ୍ତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ‘ୟେଲ’ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିବା ସହ ହାର୍ବାଡ ବିଶ୍ୱ ବିଦ୍ୟାଳୟରୁ ଇସଲାମିକ ଷ୍ଟଡି ଓ ଆରବୀରେ ମାଷ୍ଟର ଡିଗ୍ରୀ ବି ହାସଲ କରିଛନ୍ତି ।

ହ୍ୱାଇଟ ହାଉସ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି,ଆଜିର ଏଭଳି ଘୋଷଣା ଆମେରିକା ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତାକୁ ପ୍ରମାଣ କରିଛି । ଯେଉଁଥିରେ ସବୁ ଧର୍ମ ପ୍ରତି ଆମେରିକା ପ୍ରଶାସନ ସମାନ ଭାବନା ପରିଲକ୍ଷିତ ହୋଇଛି । ହୋସେନ ପ୍ରଥମ ମୁସଲିମ ଭାବେ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ପାଇଁ ‘ଆମ୍ବାସେଡର ଆଟ ଲାର୍ଜ’ ପଦରେ ଅବସ୍ଥାପିତ ହୋଇଛନ୍ତି । ଏହା ପୂର୍ବରୁ ସେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ନ୍ୟାୟ ବିଭାଗରେ ବରିଷ୍ଠ ଓକିଲ ଭାବେ କାମ କରିଛନ୍ତି । ଅନ୍ୟପଟେ ଓବାମା ପ୍ରଶାସନରେ ରଶଦ ହୁସେନ ଇସଲାମିକ ସହଯୋଗ ସଂଗଠନ (ଓଆଇସି) ରେ ଆମେରିକାର ବିଶେଷ ଦୂତ ଷ୍ଟାଟେଜିକ କାଉଣ୍ଟରିଜିମ କମ୍ୟୁନିକେସନରେ ଆମେରିକାର ବିଶେଷ ଦୂତ ଓ ହ୍ୱାଇଟ ହାଉସ୍ କାଉଁସିଲରେ ଡେପୁଟି ଆସୋସିଏଟ ଭାବେ କାମ କରିଛନ୍ତି ।