ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପରେ ରାଷ୍ଟ୍ରପତି ବାଇଡେନଙ୍କ ଉପରେ ତୁଟୁଛି ନାଗରିକଙ୍କ ବିଶ୍ୱାସ, ଆପ୍ରୁଭାଲ ରେଟିଂରେ ଅଶାତୀତ ଅବନତି

289

କନକ ବ୍ୟୁରୋ : ଆଫଗାନିସ୍ତାନର ଆମେରିକା ସେନା ପ୍ରତ୍ୟାହାର ଓ ତାଲିବାନୀ ମାନଙ୍କ ଶାସନ ପରେ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଉପରେ ଲୋକମାନଙ୍କର ବିଶ୍ୱାସ ତୁଟିବାରେ ଲାଗିଛି । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଆମେରିକା ସହ ସାରା ବିଶ୍ୱ ବିରୋଧ କରିଛି । ଏହାକୁ ନେଇ ବିଶ୍ୱ ଆଗରେ ବାଇଡେନଙ୍କ ଲୋକପ୍ରିୟତା ବା ଆପ୍ରୁଭାଲ ରେଟିଂ କମିବାରେ ଲାଗିଛି । କହିରଖୁ କି ଆମେରିକା ସେନା ପ୍ରତ୍ୟାହାର କରିବା ପରେ ଅଗଷ୍ଟ ୧୫ ତାରିଖରେ ତାଲିବାନୀମାନେ ଆଫଗାନର ରାଜଧାନୀ କାବୁଲ ଦଖଲ କରିଥିଲେ । ଏହାସହ ଅଗଷ୍ଟ ୩୧ ସୁଦ୍ଧା ଆମେରିକା ପକ୍ଷରୁ ସେଠାରେ ରହୁଥିବା ଆମେରିକୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିଥିଲା ।

ଦୁଇଟି ଘରୋଇ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେ ମୁତାବକ ଏବେ ବାଇଡେନଙ୍କ ଆପ୍ରୁଭାଲ ରେଟିଂ (ଅନୁମୋଦନ ମୂଲ୍ୟାଙ୍କନ) ୪୩ ପ୍ରତିଶତକୁ ଖସି ଆସିଛି । ଯାହାକି ବାଇଡେନ ରାଷ୍ଟ୍ରପତି ହେବା ପରେ ସବୁଠାରୁ ନିମ୍ନ ସ୍ତରର ଲୋକପ୍ରିୟତା । ଅନେକ ଆମେରିକୀୟ ବାଇଡେନଙ୍କ ବିଦେଶ ନୀତିକୁ ନିନ୍ଦା କରିଛନ୍ତି ।

ଅନ୍ୟପଟେ ବାଇଡେନଙ୍କ ଏଭଳି ନିଷ୍ପତ୍ତିକୁ କଡା ନିନ୍ଦା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସେ କହିଛନ୍ତି କି ବାଇଡେନଙ୍କର ଏଭଳି ନିଷ୍ପତ୍ତି ସମୟପୋଯୋଗୀ ନୁହେଁ । ସେପଟେ ବାଇଡେନ କହିଛନ୍ତି କି ଆମେରିକୀୟ ସେନା ଓ ରାଷ୍ଟ୍ରହିତରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

କହିରଖୁ କି ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଏଭଳି ନିଷ୍ପତ୍ତିିକୁ କେବଳ ରାଜନୈତିକ ସ୍ତରରେ ବିରୋଧ କରାଯାଇ ନାହିଁ ବରଂ ଆମେରିକା ସେନାର ପୂର୍ବ ଅଧିକାରୀ ବି ବାଇଡେନଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।