ଜଳସେଚନ ପାଇଁ ହୋଇଥିଲା ଯୋଡ଼ା କାନପୁର ନଦୀବନ୍ଧ ଯୋଜନା । ଖଣିଜ ପଦାର୍ଥ ପରିବହନ ପାଇଁ ବିଛା ଯାଇଥିବା ସ୍ଲରି ପାଇପ୍ ଯୋଗେ ପାଣି ବୋହି ନେଉଛି କମ୍ପାନୀ ।
କନକ ବ୍ୟୁରୋ: ଚାଷ ଜମିକୁ ଜଳ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିବା ପ୍ରକଳ୍ପରୁ ଶିଳ୍ପକୁ ଦିଆଯାଉଛି ପାଣି । କେନ୍ଦୁଝର ଯୋଡାରେ ବୈତରଣୀ ନଦୀ ଉପରେ କାନପୁର ନଦୀବନ୍ଧ ଯୋଜନାରେ ୨୯ ହଜାରରୁ ଅଧିକ ହେକ୍ଟର ଚାଷ ଜମିକୁ ପାଣି ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ ପାଇଁ ଏହି ପ୍ରକଳ୍ପରୁ ସ୍ଲରି ପାଇପ୍ ଯୋଗେ କମ୍ପାନୀମାନେ ପାଣି ନେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଉଥିବା ବେଳେ ଆଶ୍ଚର୍ଯ୍ୟର କଥା ହେଉଛି ପାଇପରେ ପାଣି ଯାଉଥିବା ଖବର ବିଭାଗୀୟ ଯନ୍ତ୍ରୀଙ୍କ ପାଖରେ ନାହିଁ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲା ଯୋଡାରେ ଥିବା ଓଡିଶାର ଦ୍ୱିତୀୟ ବୃହତମ କାନପୁର ନଦୀବନ୍ଧ ଯୋଜନା । ବୈତରଣୀ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା ଓ ଯୋଡା ବ୍ଲକ ସମେତ, କେନ୍ଦୁଝର ସଦରର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ରହିଥିଲା । ୨୯ହଜାର ୫୭୮ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏପରିକି ୪.୩ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପନ ପାଇଁ ପ୍ରସ୍ତାବ ରହିଥିଲା ।
କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ, କେନ୍ଦୁଝରରେ ଥିବା ବିଭିନ୍ନ ଶିଳ୍ପ ପାଇଁ ଏହି ପ୍ରକଳ୍ପରୁ ଯୋଗାଇ ଦିଆଯାଉଛି ଜଳ । ଆଶ୍ଚର୍ଯ୍ୟର କଥା ହେଉଛି, ଖଣିଜ ପର୍ଦାର୍ଥ ପରିବହନ ବିଛା ଯାଇଥିବା ସ୍ଲରି ପାଇପ୍ ଯୋଗେ ଏହି ପ୍ରକଳ୍ପରୁ କମ୍ପାନୀମାନେ ପାଣି ନେଉଥିବା ଅଭିଯୋଗ ହୋଇଛି । ଯାହାର ପ୍ରଭାବ ଚାଷୀ ଓ ଖଣିଜ ପରିବହନ କରୁଥିବା ଟ୍ରକ ବ୍ୟବସାୟୀଙ୍କ ଉପରେ ସିଧାସଳଖ ପଡିଛି ।
ସୂଚନା ଅନୁସାରେ, ୨ଟି କମ୍ପାନୀ, ବର୍ତମାନ ଏଠାରୁ ପାଣି ନେଉଥିବାବେଳେ ଅନ୍ୟ ତିନୋଟି କମ୍ପାନୀ, ପାଣି ନେବା ପାଇଁ ଆବେଦନ କରିଛନ୍ତି । ବିଆର.ପି.ଏଲ. କମ୍ପାନୀ ୧୩ ଇଞ୍ଚ ମୋଟେଇ ପାଇପ୍ ଜରିଆରେ ୪.୭୦ କ୍ୟୁସେକ୍ ଜଳ ୨୦୧୩ ମସିହାରୁ ନେଉଛି । ସେହିପରି ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ୨୦ଇଂଚ ମୋଟେଇ ପାଇପ୍ ଜରିଆରେ ୧୧.୭୭କ୍ୟୁସେକ୍ ଜଳ ୨୦୦୯ ମସିହାରୁ ନେଉଛି । ଏବଂ ଜେଏସପିଏଲ୍ ୨୬ଇଞ୍ଚ ମୋଟେଇ ପାଇପରେ ୨୩କ୍ୟୁସେକ୍ ଜଳ ଓ ଜେଏସଡବ୍ଲ୍ୟୁ ୩୨ଇଞ୍ଚ ମୋଟେଇ ପାଇପରେ ନଦୀ ବନ୍ଧରୁ ଜଳ ନେବାର ଯୋଜନା ରଖିଛନ୍ତି । ତେବେ କାନପୁର ଜଳସେଚନ ପ୍ରକଳ୍ପରୁ ଶିଳ୍ପକୁ ଏତେ ମାତ୍ରାରେ ପାଣି ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । କିନ୍ତୁ ବିଭାଗୀୟ ଯନ୍ତ୍ରୀ କହିଛନ୍ତି, ପାଇପରେ ପାଣି ଯାଉଥିବା ଖବର ତାଙ୍କ ପାଖରେ ନାହିଁ ।
ପ୍ରଶ୍ନ ଉଠୁଛି, ଚାଷ ଜମିକୁ ଜଳ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପରୁ ଶିଳ୍ପକୁ କାହିଁକି ଦିଆଯାଉଛି ପାଣି? ସ୍ଲରି ପାଇପରେ ଫେରି ଆସୁଥିବା ପାଣି ଯାଉଛି କୁଆଡେ? ଓ୍ଲରି ପାଇପ୍ ଏକାଧିକ ସ୍ଥାନରେ ନଦୀ ଶଯ୍ୟାକୁ ଅତିକ୍ରମ କରୁଥିବାବେଳେ ଏଥିପାଇଁ ଅନୁମତି ଅଛି କି ନାହିଁ?